ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଛି କୁମାରପୂର୍ଣ୍ଣିମା ମହୋତ୍ସବ (Kumara Purnima celebrated at Sadanandapur village)। ନୂଆ ପୋଷାକ, ପାଦରେ ଅଳତା ଓ କୁମକୁମରେ ସଜେଇ ହୋଇ କୁମାରୀମାନେ ପାଳିଥିଲେ କୁମାରପୂର୍ଣ୍ଣିମା । ଗତକାଲି (ଶନିବାର) ରାତିରୁ ନିଜ ଘର ଅଗଣାରେ କୁମାରୀମାନେ କଇଁ ଫୁଲରେ ତିଆରି କରିଥିଲେ ବିଭିନ୍ନ ପ୍ରକାରର କୋଠି ।
ବର୍ଷବର୍ଷ ଧରି ଏହି ଗାଁରେ କୋଠି ପୂଜା ପରମ୍ପରା ଚାଲିଆସୁଛି । ଗାଁର କୁମାରୀମାନଙ୍କ ବିଶ୍ବାସ ରହିଛି ଯେ ଏଭଳି କୋଠି ପୂଜା କଲେ ଭଲ ଜୀବନ ସାଥୀଟିଏ ମିଳିଥାଏ । ଆଜିକୁ ପ୍ରାୟ ୧୫୩ ବର୍ଷ ହେବ ଏହି କୋଠି ପୂଜା ପରମ୍ପରା ଗାଁରେ ଚାଲି ଆସିଛି । ଏହି କୋଠି କୌଣସି ରଙ୍ଗ କିମ୍ବା କାଳିରେ ନୁହେଁ କେବଳ କଇଁ ଫୁଲରେ ତିଆରି ହୋଇଥିଲା କୋଠି ।
ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ସ୍ୱର୍ଗତଃ ସ୍ବପ୍ନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଦ୍ୱାରା ଲିଖିତ ପୁସ୍ତକ ଚିତ୍ରକାବ୍ୟ ବନ୍ଧୋଦ୍ୱୟରେ ଅଙ୍କାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ । ଧୀରେ ଧୀରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପିଥିଲା । ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି । ଏହି କୋଠି ପୂଜା ସରିବା ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀମାନେ ଭୋଗ କରିଥାନ୍ତି । କୋରୋନା ଯୋଗୁଁ ଗତ ଦୁଇ ବର୍ଷ ହେବ ଏହି କୁମାରପୂର୍ଣ୍ଣିମା ଯଥା କୋଠି ପୂଜା ହୋଇପାରିନଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Kumar Purnima 2022: ବର ପାଇଁ ଚାନ୍ଦ ପୂଜିବେ କୁମାରୀ
ଚଳିତ ବର୍ଷ ସରକାରଙ୍କ କୋରୋନା କଟକଣା କୋହଳ ଯୋଗୁଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାସହ ଗାଁର ଝିଅମାନେ ମଧ୍ୟ ବେଶ ଆନନ୍ଦ ସହ କୁମାରପୂର୍ଣ୍ଣିମା ଯଥା କୋଠି ପୂଜା ପାଳନ କରିଥିଲେ । ତେବେ ଏହି ଗାଁରେ ଚାଲୁଥିବା କୁମାରୀପୂଜାର ବିଶେଷତ୍ବ ହେଉଛି ବିଳମ୍ବିତ ରାତିରେ ଗାଁର ଯୁବକମାନେ ପାଳଭୂତ ବେଶରେ ଆସି କୁମାରୀମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ ।
ଇଟିଭି ଭାରତ, ଯାଜପୁର