ଫୁଲବାଣୀ: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ପକ୍ସୋ କୋର୍ଟ । କନ୍ଧମାଳ ଜିଲ୍ଲା ଦୌରଜଜ୍ ଭାସ୍କର ଚନ୍ଦ୍ର ସାହୁ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି କନ୍ଧମାଳ ଜିଲ୍ଲା ଦୌରଜଜ୍ ।
୨୦୧୫ ମେ ୧୯ ତାରିଖରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ଖଜୁରୀପଡା ଥାନା ବନ୍ଧସାହିର ସିପୁ ଦିଗାଲ ତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅକୁ ପାଇନଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ କୌଣସି ମତେ ନାବାଳିକା ଜଣକ ପରିବାର ଲୋକଙ୍କ ଫୋନ୍ କରି ସମସ୍ତ ଘଟଣା ବିଷୟରେ ଜଣାଇଥିଲେ ।
ଏତଲା ରୁଜୁ ହେବାପରେ ଖଜୁରୀପଡା ପୋଲିସ ତଦନ୍ତ କରି ମେ ୨୧ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଏହାପରେ ୨୫ ତାରିଖରେ ସିପୁକୁ ଗିରଫ କରିଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ସିପୁକୁ ୧୦ ବର୍ଷ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।