ଯାଜପୁର: ଯାଜପୁରରେ ଧୁିମଧାମରେ ଚାଲିଛି କାଳୀପୂଜା । କାଳୀପୂଜା ପାଇଁ ଯାଜପୁରର ବ୍ୟାସନଗର ସହର ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ବର୍ଷ ସହରର 14ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଶ୍ୟାମାକାଳୀ । ମଣ୍ଡପ ମାନଙ୍କରେ ସୁନ୍ଦର ସୁନ୍ଦର ତୋରଣ ସହିତ ସୁସଜ୍ଜିତ ରଙ୍ଗୀନ ଆଲୋକରେ ଝଟକୁଛି ସାରା ସହର । ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଯଥା ରୀତିନୀତିରେ ପୂଜା ପାଉଥିବା ବେଳେ ଆଧୁନିକ ଓ ପୌରାଣିକ ଘଟଣାବଳୀକୁ ନେଇ ଗଢାଯାଇଛି ବାରୁଆଳି । ଅଧିକାଂଶ ମଣ୍ଡପରେ ସ୍ଥାନ ପାଇଛି ମୀନାବଜାର ଓ ଇଲେକ୍ଟ୍ରିକ ଦୋଳି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସନ୍ଧ୍ୟାରେ ଆୟୋଜିତ ହେଉଛି ମେଲୋଡି, ଭଜନ ସଂନ୍ଧ୍ୟା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଷ୍ଟାର ପ୍ରୋଗ୍ରାମ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି ।
ଚଳିତବର୍ଷ ବିନା କଟକଣାରେ ପାଳିତ ହେଉଛି କାଳୀପୂଜା । କୋଭିଡ୍ କଟକଣା ହଟିବା ପରେ ପୂର୍ବପରି ଚଳିତ ବର୍ଷ ସହରର 14ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଶ୍ୟାମାକାଳୀ । ବିଭିନ୍ନ ମଣ୍ଡପରେ ମା'ଙ୍କ ମୂର୍ତ୍ତି ସାଙ୍ଗକୁ ଶୋଭା ପାଉଛି ଭିନ୍ନ ଭିନ୍ନ ସୁଉଚ୍ଚ ତୋରଣ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନେ ସ୍ଥାନେ ତିଆରି ହୋଇଛି ସୁନ୍ଦର ସୁନ୍ଦର ବାରୁଆଳୀ । ଦୋକାନ ଓ ମୀନାବଜାରରେ ଗ୍ରାହକଙ୍କ ଭିଡ ଜମୁଛି । କିଛି ସ୍ଥାନରେ ଇଲେକ୍ଟ୍ରିକ ଦୋଳିର ଆୟୋଜନ ମଧ୍ୟ କରାଯାଇଛି । ଦର୍ଶକଙ୍କ ମନରଞ୍ଜନ ପାଇଁ ଷ୍ଟାର ସିଙ୍ଗରଙ୍କ ଦ୍ବାରା ଆୟୋଜିତ ହେଉଛି ମେଲୋଡି ଓ ଭଜନ ସନ୍ଧ୍ୟା । ତା ସହିତ ସ୍ଥାନୀୟ କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ହେଉଛି ନାଚଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଚାଟ, ଗୁପଚୁପ ଆଦି ମଜାଦାର ଖାଦ୍ୟ ସହିତ ବିଳମ୍ବ ରାତ୍ରି ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ ।
ଏଥର 14 ଦିନ ଧରି ପାଳିତ ହେଉଛି ସହରର ଏହି ଗଣପର୍ବ । ମେଳା ପରିସରରେ ଖୋଲିଛି ଦୋକାନ ବଜାର ଓ ଦୋଳି ମୀନାବଜାର । ମଣ୍ଡପରେ ମାଙ୍କୁ ଦର୍ଶନ କରିବା ସହିତ ମେଳାରୁ ଘରକରଣା ଜିନିଷ କ୍ରୟ କରୁଛନ୍ତି ଘରର ଗୃହିଣୀ । ପୂଜାକମିଟି ମାନଙ୍କ ପକ୍ଷରୁ ଦର୍ଶକଙ୍କ ମନ ମୋହିବା ପାଇଁ ଆୟୋଜିତ ହେଉଛି ନାନା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ । ସୁରୁଖୁରୁରେ ଦର୍ଶନ ପାଇଁ ପୂଜାକମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଯାତାୟାତର ସୁବିଧା ଏବଂ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶାନ୍ତିଶୃଙ୍ଖଳାରେ ପୂଜା ଓ ଭସାଣ ଉତ୍ସବ ସମାପନ ପାଇଁ ସହରର ସମସ୍ତ ମଣ୍ଡପର କର୍ମକର୍ତ୍ତା ମାନଙ୍କୁ ନେଇ ଶାନ୍ତିକମିଟି ଗଠନ କରାଯାଇଛି । ସହରରେ ଆସନ୍ତା ନଭେମ୍ବର 6 ତାରିଖ ଧୁମଧାମରେ ପାଳିତ ହେବ କାଳୀ ମେଳଣ ଓ ଭସାଣ ଉତ୍ସବ ।
ଭସାଣ ଦିନ ବ୍ୟାସନଗର ସହରର ଚୋରଦା କାଳୀ ମେଳଣ ପଡିଆରେ ଏକତ୍ର ହେବେ ସମସ୍ତ ମେଢ । ମେଳଣ ଉତ୍ସବରେ ଲକ୍ଷାଧିକ ଲୋକଙ୍କ ଭିଡ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ଓ ଶାନ୍ତିକମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।
ଇଟିଭି ଭାରତ, ଯାଜପୁର