ଯାଜପୁର:ମହାମାରୀ କୋରୋନାର ପ୍ରଭାବ ସମଗ୍ର ବିଶ୍ବରେ ଦେଖିବାକୁ ମିଳିଛି । ଏଥିରେ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ କୋରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ କାମଧନ୍ଧା ହରାଇ ଘରକୁ ଫେରିଥିବା ପ୍ରବାସୀମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ ଏମାନଙ୍କୁ କାମ ଯୋଗାଇଦେବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଭିନ୍ନ ସ୍ଥାନରେ କର୍ମନିଯୁକ୍ତି ସୃଷ୍ଟି କରାଯାଇ ଏହି ପ୍ରବାସୀ ମାନଙ୍କୁ କାମ ଯୋଗାଇ ଦିଆଯାଉଛି ।
ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ପ୍ରବାସୀଙ୍କ ପାଇଁ ସୃଷ୍ଟି ହୋଇଛି କର୍ମନିଯୁକ୍ତି। ମନରେଗା ଯୋଜନାରେ ସେମାନଙ୍କୁ କାମ ଯୋଗାଇ ଦିଆଯିବ। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶିଳାନ୍ୟାସ କରିଛନ୍ତି କୋରେଇ ବିଧାୟକ ଅଶୋକ ବଳ ।
ଖୁବଶୀଘ୍ର ଏହି ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ଓ ପୋଖରୀ ଖୋଳା ଆଦି କାର୍ଯ୍ୟ ଆରମ୍ଭ ହେବ। ଏଥିରେ କାର୍ଯ୍ୟ କରି ପ୍ରବାସୀମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ବିଧାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ସ୍ଥାନୀୟ ବିଡିଓ, ସରପଞ୍ଚ ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ଉଦେଶ୍ୟରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ