ଯାଜପୁର: ଯାଜପୁର ଦାନଗଦୀ ନୀଳଦେଇପୁର ଶାସନ ଗାଁର 13 ବର୍ଷର ଦିବ୍ୟାଙ୍ଗ ଦେବପ୍ରସାଦ । ଜନ୍ମହେବାର 8ମାସ ପରେ ପକ୍ଷାଘାତ ରୋଗରେ ପୀଡିତ ହୋଇ ସେ ନିଜ ପାଇଁ ଓ ପରିବାର ପାଇଁ ଦୁଃଖ ଆଣି ଦେଇଛନ୍ତି ।
ଖେଳିବା କୁଦିବା ବୟସରେ ଖଟରେ ପଡି ରହିଛନ୍ତି । କିଏ ଖୁଆଇ ଦେଲେ ଖାଉଛି, ଗାଧେଇ ଦେଇ ପୋଷାକ ପିନ୍ଧାଇଦେଲେ ପିନ୍ଧୁଛି । ବାପା ସଞ୍ଜୟ ଶତପଥୀ ଓ ମା’ ଦିପ୍ତିମୟୀଙ୍କ ସହିତ ଭଉଣୀ ହିଁ ଏବେ ତାର ସାହା ପାଲଟିଛନ୍ତି ।
ଏତେ ଦିନ ହେବ ପକ୍ଷାଘାତ ହୋଇଥିଲେ ବି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବାରୁ ବାପା ମା’ ତାକୁ ଘରକୁ ଆଣି ଭାଗ୍ୟକୁ ଆଦରି ପଡିରହିଛନ୍ତି ।
ଦେବପ୍ରସାଦଙ୍କ ବାପା ସଞ୍ଜୟ ଶତପଥୀ ପୂର୍ବରୁ ଏକ ଘରୋଇ ଚାକିରି କରିଥିବାବେଳେ ସ୍ନାୟୁଗତ ରୋଗରେ ପିଡିତ ହୋଇ ସୁସ୍ଥ ହୋଇଛନ୍ତି । ହେଲେ ଏହା ପରେ ଚାକିରି ନମିଳିବାରୁ ଘର ଘର ବୁଲି କ୍ଷୀର ପ୍ୟାକେଟ ବିକ୍ରି କରୁଛନ୍ତି ।
ସେଥିରୁ ଯାହା ରୋଜଗାର ହେଉଛି ନିଜ ପରିବାରକୁ ଦୁଃଖ କଷ୍ଟରେ ଚଳାଉଛନ୍ତି । ହେଲେ ଏବେ ବୋଝ ଉପରେ ନଳିତାବିଡା ପରେ ପୁଅର ଏଅବସ୍ଥାକୁ ସେ ଦେଖି ପାରୁଛନ୍ତି, ନା କିଛି କରିପାରୁଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ଭତ୍ତା ଓ ଚାଉଳ ମିଳୁଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବିଡିଓ ଆଶା ଦେଇଛନ୍ତି ।
ତେବେ କେବେ ଶୁଣିବେ ସରକାର, କେବେ ଭଲ ହୋଇ ଅଗଣାରେ ଖେଳିବ ଦେବପ୍ରସାଦ । ତାକୁ ହିଁ ଅପେକ୍ଷା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ