ଯାଜପୁର: ଜଣେ ଡ୍ରାଇଭରଙ୍କୁ ଧର୍ମଶାଳା ତହସିଲଦାରଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଡ୍ରାଇଭର ସଂଘ ପକ୍ଷରୁ ବିରୋଧ କରାଯାଇଛି । ତହସିଲଦାରଙ୍କ ଏଭଳି ବ୍ୟବହାରକୁ ନେଇ ଚଢ଼େଇଧରା ଛକରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ଧର୍ମଶାଳା ତହସିଲଦାର ସଦଳବଳ ଚଢ଼ାଉ କରୁଥିବାବେଳେ ଚଢ଼େଇଧରା ଛକ ନିକଟରେ କଳାପଥର ବୋଝେଇ ହୋଇ ଯାଉଥିବା କିଛି ଗାଡିକୁ ଅଟକାଇ R ଫର୍ମ ମାଗିଥିଲେ।
ଏହି ସମୟରେ ଡ୍ରାଇଭରମାନେ R ଫର୍ମ ଦେଖାଇଥିଲେ ମଧ୍ୟ ସେମାନଙ୍କୁ ଧର୍ମଶାଳା ତହସିଲଦାର ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଶତାଧିକ ଡ୍ରାଇଭର ଏକାଠି ହୋଇ କିଛି ସମୟ ପାଇଁ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଡ୍ରାଇଭରମାନଙ୍କୁ ବୁଝାସୁଝା କରିଥିଲେ । ଚଢ଼େଇଧରା ଫାଣ୍ଡିରେ ଆପୋଷ ବୁଝାମଣା କରିବାକୁ କହିଥିଲା ପୋଲିସ ।
ତହସିଲଦାର ଭୁଲ ନମାଗିବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ ଧରିଛନ୍ତି ଡ୍ରାଇଭର ସଂଘ । ସେପଟେ ଡ୍ରାଇଭରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର । ଜାଲ R ଫର୍ମ ଦେଖାଇଥିବାରୁ ଫାଣ୍ଡିକୁ ଗାଡ଼ି ନେଇ ଚାଲ ବୋଲି କହିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କଥା ସେ କହିଛନ୍ତି । ଘଟଣାସ୍ଥଳରେ ଯାଜପୁର ଉପଜିଲ୍ଲାପାଳ, ଯାଜପୁରରୋଡ଼ SDPO, ଜେନାପୁର ଥାନା ଅଧିକାରୀଙ୍କ ସହ ଏକ ସେକ୍ସନ ଫୋର୍ସ ମୁତୟନ ରହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ