ଯାଜପୁର: ରାଜ୍ୟର 17ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରବି ଋତୁରେ ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଭୋଗୁଥିବା ସମସ୍ୟାର ଆସୁ ସମାଧାନ ପାଇଁ ଦାବି କରାଯାଇଛି । ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ମଳିତ ଦାବିପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଯାଜପୁର ଜିଲ୍ଲା କିଷାନ କଂଗ୍ରେସର ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଭୁବନାନନ୍ଦ ସାମଲଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବରିଷ୍ଠ ନେତା ସନ୍ତୋଷ ନନ୍ଦ, ଶ୍ରୀ ନାରାୟଣ ସାମନ୍ତ, ହୃଷିକେଶ ପତି, ଗଦାଧର ଦାସ, ଧନେଶ୍ୱର ସାମଲ, ବିଦ୍ୟାଧର ବାରିକ, ଭରତ ଚନ୍ଦ୍ର ସାମଲ, ବିଦ୍ୟାଧର ପାଣିଗ୍ରାହୀ ପ୍ରମୁଖ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ତାଙ୍କର ସରକାରୀ କାର୍ଯ୍ୟାଳୟରେ ଭେଟି ଚାଷୀଙ୍କ ଧାନର ଅଭାବୀ ବିକ୍ରି ସମ୍ପର୍କିତ ମୌଳିକ ଦାବି ସମ୍ପର୍କରେ ପୁଙ୍ଖନପୁଙ୍ଖ ଭାବେ ଦୀର୍ଘ ୩୦ ମିନିଟ ଧରି ଆଲୋଚନା କରିଥିଲେ।
ଜିଲ୍ଲାପାଳ ମହୋଦୟ ଚାଷୀଙ୍କ ଦାବୀର ଯଥାର୍ଥତା ଅନୁଭବ କରି ଅବିଳମ୍ବେ ରବି ଋତୁରେ ଚାଷୀଙ୍କ ଧାନ ବିକ୍ରି ପାଇଁ ଦୃଢ଼ ପଦକ୍ଷେପ ନିଆଯିବାକୁ ପ୍ରତିଶୃତି ଦେଇଥିଲେ । ଦାବି ଗୁଡିକରେ ମୁଖ୍ୟତଃ ଟୋକାନ ଇସୁ ଅବଧି ୧୫ ଦିନ ପରିବର୍ତ୍ତେ ଏକ ମାସ ବଳବତ୍ତର ରଖିବା, ରବି ଋତୁରେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସମସ୍ତ ଧାନ ସରକାର ଯୁଦ୍ଧକାଳୀନ ଭିତ୍ତିରେ କ୍ରୟ କରିବା, ସ୍ୱଳ୍ପ ସମୟରେ ଟୋକାନର ଅବଧି ପୂରିଯିବାରୁ ଅକାମି ହୋଇଯାଇଥିବା ଟୋକାନ ଗୁଡିକୁ ପୂନର୍ବାର କାର୍ଯ୍ୟକ୍ଷମ କରାଯାଇ ଧାନ ବିକ୍ରିରୁ ବଞ୍ଚିତ ଚାଷୀଙ୍କ ଠାରୁ ସମସ୍ତ ଧାନ କ୍ରୟ କରିବା, ଧାନ କିଣାରେ ଭୁବନେଶ୍ୱରରୁ ନିୟନ୍ତ୍ରିତ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଜିଲ୍ଲା ସ୍ତରରେ ଏହି କ୍ଷମତାର ବିକେନ୍ଦ୍ରିକରଣ କରିବା, ନିର୍ଦ୍ଧାରିତ ସମୟ ମଧ୍ୟରେ ଆକଳନ ମୁତାବକ ଧାନ କ୍ରୟ ପାଇଁ ମଣ୍ଡିକୁ 2ଟାର୍ଗେଟ ଦେବା, ଧାନ ସଂଗ୍ରହ ବେଳେ, ଅଖା, ଲୋଡିଙ୍ଗ, ଅନଲୋଡିଙ୍ଗ, ପରିବହନ ଖର୍ଚ୍ଚ ଅବିଳମ୍ବେ ଚାଷୀଙ୍କୁ ପ୍ରଦାନ କରିବା, ମିଲର ମାନଙ୍କ ମନମାନିକୁ ବନ୍ଦ କରିବା ସହିତ ବିଭିନ୍ନ ଆଳ ଦେଖାଇ ବସ୍ତା ପିଛା କାଟୁଥିବା ୪ରୁ ୫ କି.ଗ୍ରା ଧାନ କଟନୀ ଛଟଣୀ ବନ୍ଦ କରିବା, ରାଜ୍ୟ ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ଏମଏସପି ଉପରେ ୫୦୦ ଟଙ୍କା ବୋନସ ଦେବା, କେନ୍ଦ୍ର ସରକାର ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିବା ପ୍ରଭୃତି ଦାବି ଉଲ୍ଲେଖ କରାଯାଇଥିଲା।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ