ଯାଜପୁର: ଜିଲ୍ଲା ବ୍ୟାସନଗରବାସୀଙ୍କ ପାଇଁ ଦୁଃଖ ପାଲଟିଛି ବ୍ୟାସନଗର ପୌରପରିଷଦ ମୁଖ୍ୟ ରାସ୍ତାରେ ଥିବା ରେଳ ଫାଟକ (Jajpur Byasanagar Railway Level Crossing) । କୌଣସି କାର୍ଯ୍ୟରେ ରେଳ ଫାଟକ ପାରି ହେବାକୁ ଆସି ଘଣ୍ଟା ଘଣ୍ଟା ଅଟକି ରହିବାକୁ ପଡୁଛି ସ୍ଥାନୀୟ ଲୋକଙ୍କୁ । ବାରମ୍ବାର ଏହାର ସମାଧାନ ପାଇଁ ଦାବି ହେବା ପରେ କେବଳ ସର୍ଭେ କରି ଚୁପ୍ ବସି ପଡିଛନ୍ତି ସରକାର ।
ତେବେ ଏଠାରେ ରେଳ ଓଭରବ୍ରିଜ୍ ନଥିବାରୁ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ସ୍କୁଲ କଲେଜ ଯିବା ଓ ବ୍ୟାସନଗର ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବ୍ୟାସନଗର ଏକ ବ୍ୟସ୍ତବହୁଳ ଟ୍ରେନ୍ ରୁଟ୍ ଥିବା ଯୋଗୁଁ ଅଧିକାଂଶ ସମୟ ଏଠାରେ ରେଳ ଫାଟକ ପଡିରହୁଛି । ଯାହା ଫଳରେ ରୋଗୀଙ୍କ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ସମସ୍ୟା ଏବେ ଦ୍ୱିଗୁଣିତ ହୋଇଯାଇଛି । ତେବେ ରେଳବାଇ ପକ୍ଷରୁ ଏଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ ହେଇଥିଲେ ମଧ୍ୟ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ପାଲଟିଛି ।
ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ କଲେ ଓଭରବ୍ରିଜ ସମସ୍ୟା ଦୂର ହୋଇପାରିବ । ମାତ୍ର ଆଜି ପର୍ଯ୍ୟନ୍ତ ନା ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଜିଲ୍ଲା ପ୍ରଶାସନର ତତ୍ପରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେପଟେ ସତ୍ୟସାହି ମନ୍ଦିର ନିକଟରେ ଥିବା ରେଳ ଫାଟକ ଉପରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ସମୟରେ ସଂଗଠନ ପକ୍ଷରୁ ଦାବି ହୋଇଛି । ଏଠାରେ ପୂର୍ବରୁ ବଡ ବଡ ଦୁର୍ଘଟଣାର ନଜିର ମଧ୍ୟ ରହିଛି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଅନ୍ୟତମ ଉଦାହରଣ । ମାତ୍ର ଆଜି ପର୍ଯ୍ୟନ୍ତ ଏଥିପ୍ରତି କାହାରି ଦୃଷ୍ଟି ପଡିନାହିଁ ।
ରାଜ୍ୟ ସରକାର ଜମି ଅଧିଗ୍ରହଣ ସମସ୍ୟା ଦର୍ଶାଉ ଥିବାବେଳେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଦେଇ ଚୁପ୍ ବସିପଡୁଛନ୍ତି । ତେବେ ଯାଜପୁରର ବ୍ୟାସନଗର ସହରର ବିକାଶ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ପାଲଟିଛି ଏହି ରେଳ ଫାଟକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିକାଶ ପଥରେ ବ୍ୟାସନଗରକୁ ଯୋଡିଦେବାକୁ ସାଧାରଣରେ ଦାବି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ