ବ୍ରହ୍ମଗିରି/ ଯାଜପୁର: ଆସନ୍ତା ମାର୍ଚ୍ଚ 25ତାରିଖରୁ ବ୍ରହ୍ମଗିରିରେ ପଞ୍ଚୁଦୋଳ ମେଳଣ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଗୁରୁବାର ଦୋଳପୂର୍ଣ୍ଣିମା ତିଥିରେ ତିନି ପାଣ୍ଡବ ଭୀମ, ନକୁଳ ଓ ସହଦେଵ ଅଲାର ଗ୍ରାମରେ ଦୋଳ ବିଜେ ହୋଇ ମହା ଆଡମ୍ବରରେ ଭୋଗ ଲାଗି ହୋଇଛନ୍ତି । ତେବେ ଘଣ୍ଟ ଘଣ୍ଟା ମରଦଳ, ଭେରୀ, ତୁରୀ, ହରିବୋଲ ହୁଳହୁଳି ଓ ଆତସବାଜି ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା । ତେବେ ଦୋଳ ଗ୍ରାମ ପରିକ୍ରମା କରିବା ପରେ ଶ୍ରୀ ଅଲାରନାଥ ଦେବଙ୍କ ପୀଠରେ ହରିହର ଭେଟ ହୋଇଛନ୍ତି । ଏଭଳି ମହାମିଳନକୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କର ରୁଣ୍ଡ ଦେଖିବାକୁ ମିଳିଥିଲା । । ଅବିର ରଙ୍ଗରେ ହରିହର ଭେଟର ଅପରୂପ ସୌନ୍ଦର୍ଯ୍ୟ ଭକ୍ତଙ୍କୁ ବିମୋହିତ କରିଥିଲା । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦ୍ୱାପର ଯୁଗର ପୌରାଣିକ ଗାଥାର ମହନୀୟତାକୁ ପ୍ରତିପାଦନ କରିଥିଲା ।
ସେହିପରି ଗୁରୁବାର ଯାଜପୁରର କେତେକ ଅଞ୍ଚଳରେ ହୋଲି ଆରମ୍ଭ ହୋଇଛି । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଞ୍ଜିକା ଅନୁଯାୟୀ ଏହି ହୋଲି ପର୍ବ ପାଳନ ହୋଇଥାଏ । ଏଥିପାଇଁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ସାଙ୍ଗ ସାଥି ମିଶି କରି ପରସ୍ପର ପରସ୍ପରକୁ ରଂଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ଭୋଜି ଭାତର ମଧ୍ୟ ଆୟୋଜନ କରି ହୋଲିର ମଜାଉଠାଇଛନ୍ତି ଯାଜପୁରବାସୀ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ ଓ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ