ଯାଜପୁର: ବିଧାୟକ କହିଲେ ଆପଣମାନଙ୍କ ମନକୁ ଆସୁଥିବ କୋଠା ବାଡି, ଗାଡି ଆଦି ଅମାପ ସମ୍ପତ୍ତି ଥିବ । ଆଜିର ସମୟରେ ଯେଉଁ ବ୍ୟକ୍ତି ଥରେ ବିଧାୟକ ହୋଇଯାନ୍ତି ସାତ ପୁରୁଷ ପାଇଁ ଧନ ସଞ୍ଚୟ କରୁଛନ୍ତି । ମାତ୍ର ଆଜି ଆମେ ଏମିତି ଜଣେ ବିଧାୟକଙ୍କ କଥା କହୁଛୁ ଯାହାଙ୍କ ପରିବାର ପାଖରେ ନାଁ ଅଛି ଘର, ଗାଡି ଓ ବସ୍ତ୍ର l କେବଳ ବଞ୍ଚିବା ପାଇଁ ଆଜିର ଯୁଗରେ ସଂଘର୍ଷ କରୁଛନ୍ତି ଏହି ପରିବାର l ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତନ ବିଧାୟକ ସ୍ୱର୍ଗତ ବାଇଧର ସିଂ ପରିବାର ଅଟୋରେ ଅଣ୍ଡା ବିକି ଚଳୁଛନ୍ତି।
ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ଜରି ପାଲ ଟଣା ଭଙ୍ଗା ଦଦରା ମାଟି ଘରେ ବିତୁଛି ବାଇଧରଙ୍କ ପୁଅ, ବୋହୂ ଓ ନାତୁଣୀଙ୍କ ଜୀବନ । ଚାଳ ବାଟେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ତାରା ଦେଖା ଯାଉଛନ୍ତି। ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଝଡି ଯୋଗୁଁ ମାଟିକାନ୍ଥ ଭାଙ୍ଗିବାକୁ ବସିଲାଣି । କାନ୍ଥର ବିଭିନ୍ନ ଜାଗାରେ ଗାତ ମଧ୍ୟ ଦେଖାଯାଉଛି । ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଏହି ଘରେ ଚଳୁଛନ୍ତି ଏହି ପରିବାର । ରାସନ କାର୍ଡ, ଭତ୍ତା, ସ୍ୱାସ୍ଥ୍ୟକାର୍ଡ , ଗ୍ୟାସ ଆଦି ସରକାରୀ ଯୋଜନାରୁ ବଞ୍ଚିତ ଏହି ପରିବାର ।
ସୁକିନ୍ଦାର ପୂର୍ବତନ ବିଧାୟକ ବାଇଧର ସିଂଙ୍କ ଘର ଦାନଗଦୀ ବ୍ଲକ ରାମ୍ପିଲୋ ଗ୍ରାମରେ । ସେ ୧୯୬୧ ରୁ ୧୯୬୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ବିଧାୟକ ଥିଲେ । ସେତେବେଳେ ସୁକିନ୍ଦା ବିଧାନସଭା ଆସନ ତପଂସିଲ ଭୁକ୍ତ ଜାତି ମାନଙ୍କ ପାଇଁ ସଂରକ୍ଷିତ ରହିଥିଲା । ଶିକ୍ଷାଗତ ଯୋଗ୍ୟତା କମ ଥାଇ ମଧ୍ୟ ଅନେକ ସାମାଜିକ ସଂଗଠନ ସହିତ ଜଡିତ ରହିବା ସହିତ ସମାଜସେବା କରି ବିଧାୟକ ହୋଇ ପାରିଥିଲେ ।
ସେ 7ବର୍ଷ ଧରି ୩ ଜଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବିରେନ ମିତ୍ର ଓ ସଦାଶିବ ତ୍ରିପାଠୀଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ବତନ ବିଧାୟକ ବାଇଧର ସିଂ କାର୍ଯ୍ୟ କରିଥିଲେ l ସେ ୨୦୧୦ ମସିହାରେ ମାର୍ଚ୍ଚ ୮ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ସୁକିନ୍ଦା ନିର୍ବାଚନମଣ୍ଡଳୀର ପଛୁଆବର୍ଗ ଓ ସାଧାରଣ ଜନତାଙ୍କ ପାଇଁ ସବୁବେଳେ ଲଢ଼େଇ କରୁଥିଲେ । ହେଲେ ତା’ଭିତରେ ନିଜ ପରିବାର କଥା କିନ୍ତୁ ଭୁଲି ଯାଇଥିଲେ । ଫଳରେ ଆଜି ତାଙ୍କର ଦୁଇ ପୁଅ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଜଣେ ପୁଅ କୁକୁଡ଼ା ବିକ୍ରି ସହିତ ଅଟୋ ଗାଡି ଚଳେଇ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟଏକ ପୁଅ ଚାଷବାସ କରି ନିଜ ପରିବାର ଚଳାଉଛନ୍ତି l
ଏହା ମଧ୍ୟ ପଢନ୍ତୁ- ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ଦାୟିତ୍ୱ ଦେଲା ବିଜେଡି ! ସାମନାରେ ପ୍ରଦୀପ ପାଣିଗ୍ରାହୀ
ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଏହା ପୂର୍ବତନ ବିଧାୟକଙ୍କ ପରିବାର ପାଇଁ ସତେ ଯେମିତି ସାତ ସପନ । ବାଇଧରଙ୍କ ସାନ ପୁଅ ତ୍ରିଲୋଚନ ସିଂ କଷ୍ଟମଷ୍ଟେ ଅଟୋ ଖଣ୍ଡେ କିଣି ଗାଁ ଗାଁ ବୁଲି ବୁଲି ଅଣ୍ଡା ବିକୁଛନ୍ତି । ଅନ୍ୟ ଜଣେ ପୁଅ ଦନାର୍ଦ୍ଧନ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ ବି ନାହିଁ । ଅର୍ଥାଭାବ ଏମିତି ଗ୍ରାସିଛି ଯେ ମାଟି ଘର ଖଣ୍ଡିକ ମରାମତି ବି କରିପାରୁ ନାହାନ୍ତି। ପକ୍କା ଘର ଖଣ୍ଡେ ପାଇଁ ବ୍ଲକ୍କୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି।
ଏନେଇ ଦାନଗଦି ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା କହିଛନ୍ତି, "ଆମେ ସରକାରୀ ସ୍ତରରେ ତଦନ୍ତ କରିବୁ । ଯଦି ସେମାନେ ମୋ ଘର ଯୋଜନା ପାଇଁ ଉପଯୁକ୍ତ ଥିବେ, ତାହାଲେ ନିଶ୍ଚିତ ତାଙ୍କୁ ମୋ ଘର ଯୋଜନାରେ ଅନ୍ତର୍ଭୁକ୍ତ କରିବୁ ।"
ଇଟିଭି ଭାରତ, ଯାଜପୁର