ଯାଜପୁର: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ଋଣ ଭାର ସହି ନପାରି ଜୀବନ ହାରିଲାେ ଚାଷୀ । ଏଭଳି ଅଭିଯୋଗ ଆସିଛି ବିଞ୍ଝାରପୁର ବ୍ଲକ ଜରୀ ନାଉବାଙ୍କ ଗାଁରୁ । ମୃତ ଚାଷୀ ଜଣଙ୍କ ହେଉଛନ୍ତି ଭାଗଚାଷୀ ନବଘନ ଧଳ ।
ସୂଚନା ଅନୁଯାୟୀ, ନବଘନ ଧଳ ଚାଷ କରିବା ପାଇଁ ବିଭିନ୍ନ ଲୋକଙ୍କ ଠାରୁ ଋଣ ଆଣିବା ସହ ସମବାୟ ସମିତି ଠାରୁ ଋଣ ମଧ୍ୟ ନେଇଥିଲେ । କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଋଣ ସୁଝିବା ତାଙ୍କ ପକ୍ଷରେ ସମ୍ଭବପର ହୋଇପାରିନଥିଲା । ଫଳରେ ନବଘନ ବିଷ ପାନ କରି ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।
ନବଘନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଯାଜପୁର ଚିକିତ୍ସାଳୟ ଏବଂ ଶେଷରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ନବଘନଙ୍କ ମୃତ୍ୟୁ ପରେ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ପରିବାର ଲୋକେ । ସେପଟେ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ