ଯାଜପୁର: ଇଟିଭି ଭାରତର ପ୍ରଭାବ ଅନୁଭୂତ ହୋଇଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବୁରୁସାହି ଗାଁରେ । ଯେଉଁଠି ଆମେ ଲୋକଲୋଚନକୁ ଆଣିଥିଲୁ ଆଉ ଏକ ନଗଡ଼ାର ଚିତ୍ର । ଦେଖିବାକୁ ମିଳିଥିଲା ପୃଷ୍ଟିହୀନତା ଓ ଦାରିଦ୍ର୍ୟତାର କରୁଣ ଦୃଶ୍ୟ । ଯେଉଁଠି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇଆସିଥିଲେ 52ଗୋଟି ଦଳିତ ଆଦିବାସୀ ପ୍ରାୟ ସମସ୍ତ ସରକାରୀ ଯୋଜନାରୁ ବହୁ ଦୂରରେ ଥିବା ବୁରୁସାହି ବାସିନ୍ଦାଙ୍କ ଉପରେ ଏବେ ନଜର ପଡିଛି ଜିଲ୍ଲା ପ୍ରଶାସନର । ଖବର ପ୍ରସାରଣ ପରେ ପ୍ରଥମଥର ପାଇଁ ଜିଲ୍ଲା ରେଡକ୍ରସ୍ ସହାୟତାରେ ଏଠାରେ ଏକ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯିବା ସହ ଖୋଦ୍ ଜିଲ୍ଲାପାଳ ପ୍ରଥମକରି ଏଠାକୁ ଗସ୍ତ କରିଥିଲେ ।
ସବୁକିଛିରୁ ବଞ୍ଚିତ ହୋଇ ସାରିଥିଲେ ଏହି ବୁରୁସାହିର ଲୋକେ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ନିଦ ଭାଙ୍ଗିଛି ଜିଲ୍ଲା ପ୍ରଶାସନର । ବର୍ଷବର୍ଷ ଧରି ବାସ କରୁଥିବା ସମସ୍ତ ଲୋକ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ସୁବିଧାରୁ ବଞ୍ଚିତ ହୋଇଆସୁଥିଲେ । ରାସ୍ତାଟିଏ ନଥିବାରୁ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା କାଠିକର ହୋଇପଡୁଥିଲା। ସେହିପରି ସେମାନଙ୍କ ଶିଶୁଙ୍କ ପାଇଁ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ରଟିଏ ନଥିଲା । ସରକାର ଦେଉଥିବା ରାସନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ଏମାନେ ବଞ୍ଚିତ ହୋଇଆସୁଥିଲେ । ପ୍ରଥମେ ସଚେତନ ନାଗରିକ ମଞ୍ଚର ସ୍ବେଚ୍ଛାସେବୀ ଏ ସମ୍ପର୍କରେ ଇଟିଭି ଭାରତ ସମ୍ବାଦଦାତାଙ୍କୁ ଜଣାଇଥିଲେ ।
ସମ୍ପର୍କରେ ଖବର ପ୍ରସାରଣ କରିବା ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମଥର ପାଇଁ ଖୋଦ ଜିଲ୍ଲାପାଳ ଏଠାକୁ ଗସ୍ତ କରି ଲୋକଙ୍କ ସ୍ଥିତ ଅନୁଧ୍ୟାନ କରିଛନ୍ତି । ତୁରନ୍ତ ଏଠାରେ ପାନୀୟ ଜଳର ସୁବିଧା କରାଯିବା ସହ ଅଙ୍ଗନୱାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏବଂ ଯଥାଶୀଘ୍ର ସମସ୍ତ ସରକାରୀ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେବା ସହ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ଏହି ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ବିଭିନ୍ନ ଏନଜିଓ ସଂସ୍ଥା । ଏହାକୁ ନେଇ ନାଗରିକ ମଞ୍ଚ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ଏବଂ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି
ପ୍ରଥମଥର ପାଇଁ ଜିଲ୍ଲାପାଳଙ୍କ ଗ୍ରସ୍ତ ବୁରୁସାହିକୁ । ଜିଲ୍ଲାପାଳଙ୍କ ଆଗରେ ସବୁ ବଖାଣିଛନ୍ତି ଲୋକେ । ଜୀବିକା, ଜୀବନ, ମୌଳିକ ସୁବିଧା ଓ ସହାୟତା କଥା ଗୋଟିଗୋଟି କରି କହିଛନ୍ତି, ଘରଘର ବୁଲି ଜିଲ୍ଲାପାଳ ବି ଶୁଣିଛନ୍ତି ଅଭାବୀ ନିଃସ୍ବ, ପ୍ରପୀଡିତଙ୍କ ଦୁଃଖ । ପ୍ରତିଶ୍ରୃତି ଦେଇଛନ୍ତି ସମସ୍ତ ସମସ୍ୟାକୁ ସମାଧାନ ପାଇଁ । ଏହାସହ ଜିଲ୍ଲା ରେଡକ୍ରସ ସହାୟତାରେ ଗାଁରେ ଆୟୋଜିତ ହୋଇଛି ସ୍ବାସ୍ଥ୍ୟ ସେବା ଶିବିର । କୁନିକୁନି କୋମଳ ଶିଶୁଙ୍କ ଥାଳିରେ ଭାତ ଆଉ ଅଣ୍ଡାର ଦୃଶ୍ୟ ଗାଁର ଭାଗ୍ୟ ବଦଳିବାର ଚିତ୍ରକୁ କିଛି ମାତ୍ରାରେ ସ୍ପଷ୍ଟ କରୁଥିଲା । କୁନି ଶିଶୁର କେକ୍ କାଟି ଆଉ ଖୁଆଇ ଜନ୍ମ ଦିନ ପାଳିଥିଲେ ଜିଲ୍ଲାପାଳ । ଆଉ ହାପି ବାର୍ଥ ଡେ ଧ୍ବନି ପରି ବୁରୁସାହିର ଦୁଃଖ ସବୁ ଧୋଇ ଯିବ ଆଉ କିଛି ଦିନ ପରେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ