ଯାଜପୁର: ବ୍ୟାସନଗର ତହସିଲରେ ଭିନ୍ନକ୍ଷମ ପ୍ରଫୁଲ୍ଲଙ୍କୁ ମିଳିଲା ବସୁନ୍ଧରା ଯୋଜନାରେ ଜମି ପଟା । କିଛିଦିନ ତଳେ ଭିନ୍ନକ୍ଷମ ପ୍ରଫୁଲ୍ଲ ଦାସ ଏକ ଗୀତ ମାଧ୍ୟମରେ ସରକାର ଓ ଜିଲ୍ଲାପାଳଙ୍କୁ ଏକ ଘର ପଟା ଓ ମୋ କୁଡ଼ିଆ ଯୋଜନାରେ ଘର ଟିଏ ପାଇବାକୁ ନିବେଦନ କରିଥିଲେ । ଏହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଥିଲା ।
କୋରେଇ ବ୍ଳକ ରଗଡି ଅଞ୍ଚଳର ଭିନ୍ନକ୍ଷମ ପ୍ରଫୁଲ୍ଲ ଦାସ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ରହିବାକୁ ଘର ଖଣ୍ଡିଏ ମଧ୍ୟ ନଥିଲା । ଏନେଇ ପ୍ରଫୁଲ୍ଲ କିଛି ଦିନ ପୂର୍ବରୁ ଏକ ଗୀତ ମାଧ୍ୟମରେ ସରକାର ଓ ଜିଲ୍ଲାପାଳଙ୍କୁ ଏକ ଘର ପଟା ଓ ମୋ କୁଡ଼ିଆ ଯୋଜନାରେ ଘର ଟିଏ ପାଇବାକୁ ନିବେଦନ କରିଥିଲେ । ସେ ଗୀତ ଗାଇ ନିବେଦନ କରିବାର ଭିଡିଓଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଶୁଣ ସରକାର: ଘର ପାଇଁ ଗୀତ ଗାଇ ଜିଲ୍ଲାପାଳଙ୍କୁ ଗୁହାରୀ
ତେବେ ଏହାପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ ପରେ ଆଜି (ଶନିବାର) ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅଶୋକ କୁମାର ମାଝୀ ଓ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ପ୍ରଫୁଲ୍ଲଙ୍କୁ ଏକ 4 ଡ଼ିସିମିଲର ଜମି ପଟା ପ୍ରଦାନ କରିଛନ୍ତି । ସେପଟେ ଜମି ପଟା ପାଇବା ପରେ ଭିନ୍ନକ୍ଷମ ପ୍ରଫୁଲ୍ଲ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
ଆଜି ପ୍ରଫୁଲ୍ଲଙ୍କୁ ଜମି ପଟା ପ୍ରଦାନ କରିବା ବେଳେ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ କହିଛନ୍ତି, "ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଫୁଲ୍ଲ ଦାସଙ୍କୁ ବସୁନ୍ଧରା ଯୋଜନାରେ ଜମି ପଟା ପ୍ରଦାନ କରାଯାଇଛି । ତେବେ ,ରକାରଙ୍କର ଅନ୍ୟ ଯାହା ବି ଯୋଜନାରେ ତାଙ୍କୁ ସାହାଯ୍ୟ କରାଯାଇ ପାରିବ ଆମେ କରିବା ପାଇଁ ବିଡିଓଙ୍କ ସହିତ କଥା ହେଇଛୁ ।" ଜମି ପଟା ପାଇବା ପରେ ଭିନ୍ନକ୍ଷମ ପ୍ରଫୁଲ୍ଲ କହିଛନ୍ତି, "ମତେ ଜମି ଦେଇଥିବାରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ବହୁତ ଧନ୍ୟବାଦ । ତାଙ୍କୁ ସବୁବେଳେ ଭଲରେ ରଖିବାକୁ ମା ତାରିଣୀଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ।"
ଇଟିଭି ଭାରତ, ଯାଜପୁର