ଯାଜପୁର: ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର 26ନଂ ୱାର୍ଡ ଖଣ୍ଡାହତା ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହାସଂଘ କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ଦେଖାଦେଇଛି ବିବାଦ । ଗୃହ ନର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣରେ ଦେଖାଦେଇଛି ସମସ୍ୟା । ବାରମ୍ବାର ନିଷ୍ପତ୍ତିରେ ପରିବର୍ତ୍ତନକୁ ନେଇ ଗ୍ରାମର ଶତାଧିକ ମହିଳା ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ ।
ସଂଖ୍ୟାଧିକ ମହିଳାଙ୍କ ଦ୍ବାରା ଚୟନ କରାଯାଇଥିବା ସ୍ଥାନରେ ଏହା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏଥିରେ ପରିବର୍ତ୍ତନ ଘଟିବାରୁ ମହିଳା ମାନେ ଅସନ୍ତୋଷ ପ୍ରକାଶ କରି ପୌର କାର୍ଯ୍ୟାଳୟରେ ପହଞ୍ଚିବା ସହ ଏଠାରେ ହୋହଲ୍ଲା କରିଥିଲେ । ଭୌଗୋଳିକ ସ୍ଥିତିକୁ ନଜରରେ ରଖି ସଂଖ୍ୟାଧିକ ମହିଳା ସ୍ବୀକୃତି ଦେଇଥିବା ସ୍ଥାନରେ ଏହା ନିର୍ମାଣ କରାନଗଲେ ଆନ୍ଦୋଳନକୁ ଜୋରଦାର କରିବା ସହ ନିର୍ମାଣ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି । ସେପଟେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଲେ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇ ଏଭଳି ସମସ୍ୟା ଉପୁଜିଛି । ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ