ଯାଜପୁର: ପୁଣି ନଗଡାରେ ଦେଖିବାକୁ ମିଳିଛି ବାଲ୍ୟ ବିବାହ । ସରକାରଙ୍କ ବହୁ ସଚେତନ ପରେ ବି ସଜାଗ ହେଉନାହାନ୍ତି ଏଠାକାର ଲୋକେ । ଫଳରେ ବାଲ୍ୟ ବିବାହରେ ରୋକ ଲାଗିପାରୁନି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଅପହଞ୍ଚ ଇଲାକା ଭାବେ ପରିଚିତ ନଗଡାରେ ଗତ ଜୁନ ୩୦ ତାରିଖ ଦିନ ଏକ ବାଲ୍ୟ ବିବାହ ହୋଇଥିଲା ।
ତେବେ ଏନେଇ ଖବର ପାଇ ଗତକାଲି ନଗଡାରେ ପହଞ୍ଚି ବାଲ୍ୟ ବିବାହ କରିଥିବା ଉଭୟ ନାବାଳକ ଓ ନାବାଳିକାଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ ।
ସୂଚନା ମୁତାବକ, ଗତ ଜୁନ ୩୦ ତାରିଖ ଦିନ ତଳନଗଡାର ୧୪ ବର୍ଷୀୟ ପୁଅ ସହ ନିକଟବର୍ତ୍ତୀ କେନ୍ଦୁଝର ଜିଲ୍ଲା ଅଞ୍ଚଳର ଜଣେ ୧୩ ବର୍ଷୀୟା ଝିଅକୁ ବାହାଘର କରାଯାଇଥିଲା । ପରେ ଏନେଇ ଜିଲ୍ଲା ଚାଇଲ୍ଡ ଲାଇନ ଖବର ପାଇଥିଲା । ତେବେ ଗତକାଲି ନଗଡାରେ ପହଞ୍ଚି ସ୍ଥାନୀୟ କାଳିଆପାଣି ପୋଲିସ ସହାୟତାରେ ଉଭୟ ପୁଅ ଝିଅଙ୍କୁ ଉଦ୍ଧାର କରାଯାଇଛି । ପରେ ଉଭୟଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବା ସହ ପୁଅକୁ ବାଳାଶ୍ରମ ଓ ଝିଅକୁ ଓ୍ବାନ ଷ୍ଟପ୍ କେନ୍ଦ୍ରରେ ରଖାଯାଇଛି ।
ବାଲ୍ୟବିବାହ ସମ୍ପର୍କିତ ସମସ୍ତ ତଥ୍ୟ ଯାଞ୍ଚ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପରିବାର ଲୋକଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନ କୋ-ଅଡିନେଟର କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ