ଯାଜପୁର: ଫେଲ ମାରିଛି 5'ଟି' ସଚିବଙ୍କ ଗସ୍ତ ଓ 'ମୋ ସରକାର’ ଯୋଜନା । ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରରେ । ଏହି ପ୍ରତିବାଦରେ ମେଡିକାଲ ପରିସରରେ ଉତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ଜେନାପୁର ଥାନା ପନ୍ତୁରୀ ଗ୍ରାମର ସୁର ମଲ୍ଲିକ ତାଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୮ ତାରିଖ ଦିନ ତାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେହିଦିନ ମଧ୍ୟରାତ୍ରିରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେଦିନ ସବୁକିଛି ଠିକ୍ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ଶିଶୁଟି ଅସୁସ୍ଥ ହୋଇପଡିଥିଲା ।
ତେବେ ଶିଶୁର ସ୍ବାସ୍ଥ୍ୟବସ୍ଥା ଖରାପ ହେବା ଦେଖି ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ । ହେଲେ ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଦେବାଶିଷ ସାହୁ ଶିଶୁଟିକୁ ଡାକ୍ତର ପୁଲ୍ଲକରଞ୍ଜନ ମଲ୍ଲିକଙ୍କୁ ଦେଖାଇବାକୁ କହିଥିଲେ । ମାତ୍ର ସେହି ସମୟରେ ଡାକ୍ତର ପୁଲ୍ଲକରଞ୍ଜନ ମେଡିକାଲରେ ଉପସ୍ଥିତ ନଥିବାରୁ ଶିଶୁର ପରିବାର ଲୋକେ ଡାକ୍ତରଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ । ହେଲେ ଡାକ୍ତର ନ ଶୁଣିବାରୁ ସେଠାରୁ ନିରାଶ ହୋଇ ଫେରିଥିଲେ ପରିବାର ।
ସୋମବାର ସକାଳୁ ପରିବାର ଲୋକେ ଶିଶୁଟିକୁ ନେଇ ସେହି ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ ଏଭଳି ଅବହେଳା କାରଣରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ସମ୍ପୃକ୍ତ ଡାକ୍ତର ଓ ମେଡିକାଲ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ