ଯାଜପୁର: ଆଗକୁ ବ୍ୟାସନଗର ପୌର ନିର୍ବାଚନ । ଏବେଠୁ ଆସନ ପାଇଁ ବିଜେପିରେ ହେଲେଣି ଟଣାଟାଣି। ଏଭଳି ସ୍ଥିତି ଦେଖିବାକୁ ମିଳୁଛି ବ୍ୟାସନଗର ବିଜେପିରେ ।
କିଛି ଦିନ ହେବ ବ୍ୟାସନଗରର ବରିଷ୍ଠ ନେତା ପ୍ରସନ୍ନ ସାମଲଙ୍କ ବିରୁଦ୍ଧରେ ବ୍ୟାସଦେଵ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ ଜିଲ୍ଲା ସଭାପତି ଗୌତମ ରାୟଙ୍କୁ ଚିଠି ଲେଖିଥିଲେ । ଫଳରେ ବିବାଦ ବଢିଥିଲା । ଏଥି ସହିତ ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ମଣ୍ଡଳ ସଭାପତି ନିର୍ଦ୍ଦେଶ ଦେଇଥିବାରୁ କନ୍ଦଳ ଆହୁରି ବଢିଛି।
ବିଶେଷ କରି ଦୀର୍ଘ ବର୍ଷ ଧରି ବିଜେପି ସଂଗଠନ ପାଇଁ କାମ କରିଥିବା ପ୍ରସନ୍ନ ସାମଲଙ୍କ ବିରୁଦ୍ଧରେ ଆସିଥିବା ସଙ୍ଗୀନ ଅଭିଯୋଗକୁ ତାଙ୍କ ସମର୍ଥକମାନେ ହଜମ କରି ପାରି ନାହାଁନ୍ତି।
ଯାହାକୁ ନେଇ ମଙ୍ଗଳବାର ମୁଣ୍ଡମାଳ ନିକଟସ୍ଥ କମ୍ୟୁନିଟି ସେଣ୍ଟରରେ ସାମଲଙ୍କ ଆହ୍ବାନରେ ଆୟୋଜିତ ବୈଠକରେ ଶତାଧିକ ମହିଳା ସମର୍ଥକ ଯୋଗ ଦେଇଛନ୍ତି । ଏହି ବୈଠକରେ ପ୍ରସନ୍ନଙ୍କ ଭଳି ଦୟାଳୁ ଓ ଭଦ୍ର ଲୋକଙ୍କ ଉଦ୍ଦେଶ୍ୟରେ ଏଭଳି ହୀନ ଅଭିଯୋଗ ରଖିଥିବା ମଣ୍ଡଳ ସଭାପତିଙ୍କୁ ତୀଵ୍ର ସମାଲୋଚନା କରିଛନ୍ତି ମହିଳା। ସେପଟେ ଏଭଳି ମିଛ ଅଭିଯୋଗ କରିଥିବା ମଣ୍ଡଳ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ଉପରେ କଡା ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରସନ୍ନ ସାମଲ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ