ଯାଜପୁର: ସୁକିନ୍ଦା ଅଞ୍ଚଳରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ରାମକୀକୁ ନେଇ ଦେଖାଦେଇଛି ବିବାଦ। କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ୭ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ରାମକୀ କାରଖାନା ପ୍ରତିଷ୍ଠା ସମୟରେ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନଥିବା ଅଭିଯୋଗ ହୋଇଛି।
ପାରିପାର୍ଶ୍ୱିକ ଉନ୍ନତି କରିବାରେ କାରଖାନା କର୍ତ୍ତୃପକ୍ଷ ଅବହେଳା କରିଥିବାବେଳେ ସ୍ଥାନୀୟ ନିଯୁକ୍ତିକୁ ଭୁଲି ଯାଇଛନ୍ତି । ସେହିପରି କାରଖାନାରୁ ନିର୍ଗତ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ପ୍ରଦୂଷଣ ଯୋଗୁଁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି ତେଣୁ ଏସବୁ ଦିଗରେ ସ୍ଥାନୀୟ ଲୋକେ ବାରମ୍ବାର କାରଖାନା କର୍ତ୍ତୃପକ୍ଷ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।
ତେଣୁ ବାଧ୍ୟ ହୋଇ ସ୍ଥାନୀୟ ଗ୍ରାମବାସୀ କିଛିଦିନ ପୂର୍ବେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବାବେଳେ ଆଜି(ମଙ୍ଗଳବାର) ସ୍ଥାନୀୟ ବିଜେପି ପକ୍ଷରୁ ୭ ଦଫା ଦାବିରେ ଆନ୍ଦୋଳନ କରାଯାଇଛି । ବିଜେପିର ନେତା ଓ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଖବର ପାଇ ସୁକିନ୍ଦା ତହସିଲଦାର ଓ କଳିଙ୍ଗନଗର ଅତିରିକ୍ତ ଏସପି ସେଠାରେ ପହଞ୍ଚି ଆନ୍ଦୋଳନକାରୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ତହସିଲଦାରଙ୍କ ମଧ୍ୟସ୍ଥତାରେ ଆଲୋଚନା ପରେ ଦାବି ପୂରଣ କରିବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହାର ହୋଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ