ଯାଜପୁର: ଦର୍ପଣଗଡ଼କୁ ଫେରିଲା ଚୋରି ହୋଇଥିବା ମା' କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ବଡ଼ଚଣା ଥାନାରୁ ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ କରାଯାଇ ନିଆଯାଇଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ଗଡ଼କୁ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲଭ ମୂର୍ତ୍ତି ଆସି ପହଞ୍ଚିଛି । ମୂର୍ତ୍ତି ଫେରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମା' ଙ୍କୁ ସ୍ୱାଗତ କରିବା ପାଇଁ ଗ୍ରାମବାସୀମାନେ ଆଜି ବଡ଼ଚଣା ଥାନାରେ ପହଞ୍ଚିଥିଲେ ।
ବଡ଼ଚଣା ଥାନାରୁ ମା'ଙ୍କୁ ସ୍ୱାଗତ କରାଯାଇ ନିଆଯାଇଥିଲା । ଏହାସହ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ସୂଚନା ଅନୁସାରେ, ୨୦୧୧ ମସିହା ଜାନୁଆରୀ ୧୧ ତାରିଖରେ ଦର୍ପଣଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ମନ୍ଦିରରୁ ଚୋରି ହୋଇଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିଛି ଏହି ଦୁଲର୍ଭ ମୂର୍ତ୍ତି ।
ସୂଚନା ମୁତାବକ, ଏହି ମୂର୍ତ୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣବେଳେ ଠାବ ହୋଇଥିଲା । ସେହି ମୂର୍ତ୍ତିଟି ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ବୋଲି ଜଣାପଡିଥିଲା । ତେବେ ମୂର୍ତ୍ତି ଫେରିବା ପରେ ଦର୍ପଣଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗୁରୁବାର ଏହି ମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରହଣ କରି ରାଜ୍ୟ ପୋଲିସ ବିଭାଗକୁ ହସ୍ତାନ୍ତର କରିଥିଲେ ।
ଏହା ବି ପଢନ୍ତୁ...ମା' କୁତାମଚଣ୍ତି ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟ ଘଟଣା, 48 ଘଣ୍ଟାରେ 2 ଗିରଫ
ଏହା ବି ପଢନ୍ତୁ...ରଥଯାତ୍ରାରେ ରାଜଧାନୀରେ ମାତିଲେ ଚୋର, ମା' ତାରିଣୀଙ୍କ ଅଳଙ୍କାର ଲୁଟ୍
ରାଜ୍ୟରେ ଏପରି ଘଟଣା କିଛି ନୂଆ ନୁହେଁ । ବିଭିନ୍ନ ମନ୍ଦିରରୁ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି । କେତେବେଳେ ମନ୍ଦିର ଦାନ ବାକ୍ସ ଭାଙ୍ଗି ଦୁବୃର୍ତ୍ତ ଟଙ୍କା ଲୁଟ୍ କରୁଛନ୍ତି ତ ଆଉ କେତେବେଳେ ମନ୍ଦିରରୁ ମୂର୍ତ୍ତି ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏପରି ସ୍ଥିତିରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡିଛି । ସେହିିପରି ଯାଜପୁର ଦର୍ପଣଗଡ଼ରୁ ଚୋରି ହୋଇଥିଲା ମା' କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଏହି ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଫେରିଥିବାବେଳେ ମା'ଙ୍କୁ ପାଇଁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଇଟିଭି ଭାରତ, ଯାଜପୁର