ଯାଜପୁର: ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା ଦେବାକୁ ଉଠିଲା ଦାବି । ଏହାକୁ ନେଇ ବ୍ୟାସନଗର ମିଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଜି(ରବିବାର) ବ୍ୟାସନଗର ମିଳିତ ମଞ୍ଚର ଆବାହକ ଚନ୍ଦ୍ରଶେଖର ପଣ୍ଡାଙ୍କ ନେତୃତ୍ୱରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।
ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧକ୍ଷ ରସାନନ୍ଦ ମହାନ୍ତି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା ଦାବିରେ ୧୦ ହଜାର ଦସ୍ତଖତ ସଂଗ୍ରହ କରି ରେଳମନ୍ତ୍ରୀ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ନେଇ ବ୍ୟାସନଗର ମିଳିତ ମଞ୍ଚ ଆବାହକ ଚନ୍ଦ୍ରଶେଖର ପଣ୍ଡା ସୂଚନା ଦେଇଛନ୍ତି । ୨୦୧୮ ମସିହାରେ ଏହାକୁ ନେଇ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ ରାଜ୍ୟ ସରକାର । ଏହାସହ ୨୦୧୯ ମସିହାରେ ସଂସଦରେ ଯାଜୁପୁର ସାଂସଦ ଏହି ଦାବି ଉପସ୍ଥାପନ କରିଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା ନମିଳିଲେ ଆନ୍ଦୋଳନ ଓହ୍ଲାଇବାକୁ ଧମକ ଦେଇଛି ବ୍ୟାସନଗର ମିଳିତ ମଞ୍ଚ ।
ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ଥାନୀୟ ଲୋକଙ୍କ ସହ ବିଜେଡିର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ,କଂଗ୍ରେସ ମହିଳା ସଭାନେତ୍ରୀ ରିତାଶ୍ରୀ ମହାନ୍ତି ,ବିଜେପି ବ୍ୟାସ ଦେଵ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ ,ବ୍ୟାସନଗର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକ ଯୋଗ ଦେଇଥିଲେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ