ଯାଜପୁର: ଚନ୍ଦ୍ରକାନ୍ତଙ୍କୁ ପ୍ରେମ ବିବାହ କରି ସାତ ଜନମର ସାଥି ହୋଇଥିଲେ ପୀଡିତା । ହେଲେ ପରକ୍ରୀୟା ପ୍ରୀତି ପାଇଁ ଭାଙ୍ଗି ଯାଇଛି ପୀଡିତାଙ୍କ ସୁନା ସଂସାର । ସ୍ତ୍ରୀ ଓ ଦୁଇ ଦୁଇଟା ଛୁଆଙ୍କୁ ଛାଡି ନିଜ ନାବାଳିକା ପ୍ରେମିକା ସହ ଫେରାର ହୋଇ ଯାଇଛନ୍ତି ଚନ୍ଦ୍ରକାନ୍ତ । ଯାହାକୁ ନେଇ ଯାଜପୁର ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ।
ସୂଚନା ମୁତାବକ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଚନ୍ଦ୍ରକାନ୍ତ ରଥଙ୍କ ଘର । କିଛି ବର୍ଷ ପୂର୍ବେ ସେ ପୀଡିତାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏହାସତ୍ତ୍ବେ ବ୍ୟକ୍ତି ଜଣକଙ୍କ ଆଳି ଥାନା ଅନ୍ତର୍ଗତ କେତୁଆପାଳର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏଣୁ ନିଜ ଛୁଆ ଏବଂ ପତ୍ନୀକୁ ଛାଡ଼ି ରସିକିଆ ସ୍ବାମୀ ସମୃକ୍ତ ନାବାଳିକାଙ୍କୁ ଧରି ଚମ୍ପଟ ମାରିଛନ୍ତି । ଉକ୍ତ ନାବାଳିକାଟି ନିଜ ମାମୁଁ ଘର ଅରେଇ ପଞ୍ଚାୟତରେ ରହୁଥିବାବେଳେ ଖବର ପାଇ ତାଙ୍କ ବାପା ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ରସିକିଆ ସ୍ବାମୀଙ୍କ ଏଭଳି କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ