ଯାଜପୁର: ବେଦ କହେ ‘ପିତା ଧର୍ମ ପିତା ସ୍ବର୍ଗ ପିତାହିଁ ପରମ ତପ, ପିତରି ପ୍ରତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ’ l ହେଲେ ଆମ ତଥାକଥିତ ସଭ୍ୟ ସମାଜରେ ଆଜି ପିତାର ଅବସ୍ଥା କେତେ ଶୋଚନୀୟ, ତାହା ଏ ଚିତ୍ର ହିଁ ବୟାନ କରୁଛି । ଏ ହେଉଛନ୍ତି ୭୪ ବର୍ଷୀୟ ଅସହାୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ । ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ସଂସାର । ସ୍ତ୍ରୀ ଆଜକୁ ପନ୍ଦର ବର୍ଷ ତଳେ ଆରପାରିକୁ ଚାଲି ଗଲେଣି । ଉଭୟ ପୁଅ ଝିଅଙ୍କର ବିବାହ ହୋଇ ସାରିଛି l ତେବେ ଦୁଇ ପୁଅଙ୍କ ପାଖରେ ବାକି ସମୟ ବିତେଇବା ପାଇଁ ଆଶା କରିଥିଲେ ପୂର୍ଣ୍ଣଚନ୍ଦ୍ର । କିନ୍ତୁ ପୁଅ ତାଙ୍କର ସାହାରା ହେବା ପରିବର୍ତ୍ତେ ଘରୁ ବାହାର କରି ଦେଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଣିକୋଇଲି ପଞ୍ଚାୟତ ବଣିଆଗାଡ଼ିଆ ଗ୍ରାମରେ l
ସ୍ତ୍ରୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ନାମରେ ଥିବା ସମ୍ପତ୍ତିକୁ ଦୁଇ ପୁଅ ଭାଗ କରି ବାଣ୍ଟି ନେଲେ l ଆଉ ଏହାପରେ ପୁଅ ବୋହୂମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । ତେବେ ଗତ 5 ମାସ ତଳେ କୌଣସି କାରଣରୁ ଘରେ ଝଗଡ଼ା ହେବା ପରେ ସାନ ବୋହୁ ଶ୍ବଶୂରଙ୍କୁ ଧକ୍କା ମାରି ଘରୁ ତଡ଼ିଦେଲା । ଫଳରେ ୭୪ ବର୍ଷୀୟ ବୃଦ୍ଧ ବଣିଆଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଏବେ ଆଶ୍ରୟ ନେଇଛନ୍ତି । ଏବେ ବିଦ୍ୟାଳୟ ବାରଣ୍ଡା ପାଲଟିଛି ତାଙ୍କ ପାଇଁ ଆଶ୍ରୟସ୍ଥଳୀ l କୌଣସି ପୁଅ ବାପାଙ୍କର ଖାଇବା ପିଇବା, ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରୁ ନ ଥିବା ବେଳେ ନିଜେ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ହିଁ ଏକମାତ୍ର ସମ୍ବଳ ପାଲଟିଛି । ବୃଦ୍ଧ ପିତାମାତାଙ୍କ ନିର୍ଯ୍ୟାତନା ବିରୁଦ୍ଧରେ କଠୋର ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହି ବୃଦ୍ଧଙ୍କ କ୍ଷେତ୍ରରେ ଏହି ଆଇନର ବ୍ୟତିକ୍ରମ ଦେଖିବାକୁ ମିଳିଛି l ତେଣୁ ବୃଦ୍ଧଙ୍କ ଥଇଥାନ ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ