ଯାଜପୁର: ଖଣି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରି ମୌଳିକ ସମସ୍ୟା ଦୂର କରିବା ପାଇଁ ନିୟମ ଥିଲେ ହେଁ ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଡିଏମଏଫ ପାଣ୍ଠିର ଦୂରୁପଯୋଗ ଏବଂ ଡିଏମଏଫ ଅଫିସ ପ୍ରତିଷ୍ଠା ଦାବିରେ ସୋମବାର ସୁକିନ୍ଦାର ବିଭିନ୍ନ ଅଞ୍ଚଳରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ କାଳିଆପାଣି ଅଞ୍ଚଳରେ ଥିବା 10ରୁ ଉର୍ଦ୍ଧ୍ବ ଖଣିର ଉତ୍ପାଦନ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ବନ୍ଦ ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା । ସେପଟେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଭେଟି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ବନ୍ଦକୁ ପ୍ରତ୍ୟାହାର କରାଯାଇଛି ।
12 ଘଣ୍ଟା ବନ୍ଦ ଫଳରେ କାଳିଆପାଣି ଖଣି ଅଞ୍ଚଳରେ ଅଖ ଚକ ସବୁ ବନ୍ଦ ହୋଇଯାଇଥିଲା । ଦୋକାନ-ବଜାର ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଶୂନଶାନ ଥିଲା । ଖଣି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ଖର୍ଚ୍ଚ କରାନଯିବା ଓ କାଳିଆପାଣିରେ ଡିଏମଏଫ୍ ଅଫିସ ଖୋଲିବା ଦାବିରେ କମର୍ଦା, ହନୁମାନ ଛକ, ଇମ୍ଫା, ଟିସ୍କୋ ଛକ, କାଙ୍କଡପାଳ ଏବଂ କୁହିକା ଛକରେ ଖଣି ପ୍ରଭାବିତ ଲୋକେ ରାସ୍ତାରେ ବସି ପିକେଟିଂ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା ।
ଖଣି ଅଞ୍ଚଳରୁ ମିଳୁଥିବା ରାଜସ୍ବକୁ ସେହି ଅଞ୍ଚଳରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ୍ ଗଠନ କରିଥିଲେ । ଏହି ପାଣ୍ଠି ମାଧ୍ୟମରେ ଖଣି ପ୍ରଭାବିତ ଅଞ୍ଚଳରେ 60 ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ସହିତ ବାକି 40 ପ୍ରତିଶତ ଅର୍ଥ ଖଣି ପ୍ରଭାବିତ ଜିଲ୍ଲାରେ ଖର୍ଚ୍ଚ କରିବାର ନିୟମ ରହିଛି । କିନ୍ତୁ କାଳିଆପାଣି ଅଞ୍ଚଳରେ ଏହି ସରକାରୀ ନିୟମକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ବାରମ୍ବାର ଅଭିଯୋଗ ହୋଇଛି । ପୂର୍ବରୁ ଏନେଇ ଏକ ପ୍ରତିନିଧି ଦଳ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ ।
ତେବେ ଏହା ନହେବାରୁ ଏହି ଆନ୍ଦୋଳନ ହୋଇଥିବା ସହ ତୁରନ୍ତ ଡିଏମଏଫ ଫଣ୍ଡକୁ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ