ଜଗତସିଂହପୁର: ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ଉପରେ ନିର୍ଭର କରିଥାନ୍ତି । ମାତ୍ର ଜଗତସିଂହପୁରରେ ଏବେ ଓମଫେଡ୍ କ୍ଷୀରରୁ ପୋକ ବାହାରିବା ପରେ ଉଭୟ ଖାଉଟି ଏବଂ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଛି । 39 ବର୍ଷର ପୂରୁଣା କମ୍ପାନୀ ଓମଫେଡ କ୍ଷୀରରୁ ଯଦି ଏପରି ପୋକ ବାହାରିବ ତେବେ ଲୋକେ କାହା ଉପରେ ବିଶ୍ୱାସ କରିବେ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ ଜିଲ୍ଲା ଅନ୍ତର୍ଗତ ଗୋପାଳସାଗର ରତ୍ନମୟ ପଣ୍ଡା ନାମକ ଜଣେ ବ୍ୟକ୍ତି ସହରର କଲେଜ ଛକରେ ଥିବା ଏକ ଦୋକାନରୁ ଓମଫେଡ କ୍ଷୀର ପ୍ୟାକେଟ ଆଣିଥିଲେ । ଘରେ କ୍ଷୀରକୁ ଏକ ପାତ୍ରରେ ଢାଳିବା ପରେ ଦୁଇଟି ଲାଙ୍ଗୁଡ଼ିଆ ପୋକ ଚାଲୁଥିବା ଦେଖିବାକୁ ପାଇଥିଲେ । ରତ୍ନମୟ ଏହାର ଏକ ଫଟୋ ଉଠାଇ ଦୋକାନୀଙ୍କୁ ଦେଖାଇଥିଲେ । ଦୋକାନୀ ଜଣକ ତୁରନ୍ତ ଆଉ ଏକ କ୍ଷୀର ପ୍ୟାକେଟ ଦେଇ ଏରିଆ ମ୍ୟାନେଜରଙ୍କ ସହ କଥା ହେବାକୁ କହିଥିଲେ । ମାତ୍ର ଏରିଆ ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲେ, ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଓମଫେଡ଼ କ୍ଷୀରକୁ ଛୋଟ ପିଲା, ରୋଗୀ ଏବଂ ବୟସ୍କ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ