ଜଗତସିଂହପୁର/ପୁରୀ: 30 ଅକ୍ଟୋବରକୁ ବିଶ୍ବ ମିତବ୍ଯୟୀତା ଦିବସ ଭାବେ ପାଳନ କରାଯାଏ । ମିତବ୍ଯୟୀ ହୋଇ ସଞ୍ଚୟ କରିବା ନିମନ୍ତେ ଆଜିର ଦିନ ବାର୍ତ୍ତା ଦିଏ । ଏହି ଅବସରରେ ଜଗତସିଂହପୁର ସଦର ମହକୁମା ଏବଂ ପୁରୀରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ପାଳନ କରାଯାଇଛି । ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଦାସର୍ବଦା ମିତବ୍ୟୟୀ ହୋଇ ଅଯଥା ଖର୍ଚ୍ଚରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଯେ ପର୍ଯ୍ୟନ୍ତ ମିତବ୍ୟୟୀ ନହେବା ସେ ପର୍ଯ୍ୟନ୍ତ ନିଜ ଭବିଷ୍ୟତ ଓ ଦେଶ ଗଢିବା ସମ୍ଭବପର ହୋଇପାରିବ ନାହିଁ ।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ବାଲିକୁଦା ତହସିଲଦାର ସିଦ୍ୟର୍ଥ ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ସେପଟେ ଏହି ଅବସରରେ ପୁରୀରେ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ଓ ନିକଟସ୍ଥ ଗ୍ରାମାଞ୍ଚଳରେ ବୁଲିବା ସହ ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ଦିନ ଦିନ ବିଭିନ୍ନ ଘରୋଇ ସଂସ୍ଥା ଅଧିକ ସୁଧ ଲୋଭ ଦେଖାଇ ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ଠକି ନେଉଥିବା ଦେଖାଯାଉଛି । ଏଣୁ ଅଧିକ ଟଙ୍କା ପାଇବା ଆଶାରେ ଘରୋଇ ସଂସ୍ଥା ଉପରେ ନିର୍ଭର ନକରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାର୍ତ୍ତା ଦିଆଯାଇଛି ।
ସେହିପରି କେବଳ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ସମେତ ପୋଷ୍ଟ ଅଫିସ ନିଜର ସଞ୍ଚୟକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ବାର୍ତ୍ତା ଦିଆଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ବିଭୂତି ଭୂଷଣ ନାୟକ, ରାଜସ୍ବ ସହାୟକ ଦିପ୍ତି ପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ