ଜଗତସିଂହପୁର: ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବିରୋଧ । ପୁନର୍ବାର ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ନେବାକୁ ଥିବା ସଂଗ୍ରାମ କେଶରୀଙ୍କୁ ଢିଙ୍କିଆ ଓ ବାଲିତୁଠର ଶତାଧିକ ଗ୍ରାମବାସୀ ବିରୋଧ କରିଛନ୍ତି । ପୂର୍ବରୁ ସମ୍ପୃକ୍ତ ଜିଲ୍ଲାପାଳ ଇଡ୍କୋକୋର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଅନେକ ଲୋକଙ୍କୁ ମାଡ ମାରିବା ସହ ମିଛ ମାମଲାରେ ଲୋକଙ୍କ ଫସାଇଥିଲେ ଓ ଲୋକଙ୍କ କାମ କରିବା ବଦଳରେ ଜୋର ଜବରଦସ୍ତ ଶିଳ୍ପାୟନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିବା ସହ ତୁରନ୍ତ ତାଙ୍କୁ ଜିଲ୍ଲାପାଳ ଦାୟିତ୍ବରୁ ହଟାଇବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ଆସନ୍ତକାଲି(ଶୁକ୍ରବାର) ଦାୟିତ୍ବ ନେବାର କାର୍ଯ୍ୟକ୍ରମ ରହିଛି । ତେବେ ଗତ ତିର୍ତ୍ତୋଲ ଉପନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ସଂଗ୍ରାମ କେଶରୀଙ୍କୁ ଜିଲ୍ଲାପାଳ ଦାୟିତ୍ବରୁ ଅବ୍ୟାହୃତି ଦିଆଯାଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ