ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡ୍ରଗ୍ସ ଅଫିସର ଡାଟା ଏଣ୍ଟ୍ରି ଅପରେଟର ତପନ କୁମାର ସେଠୀ । ସଦର ଥାନା ଅନ୍ତର୍ଗତ ବଡ ଲହଙ୍ଗା ଗ୍ରାମର ଶୁଭେନ୍ଦୁ ସ୍ୱାଇଁ ନାମକ ଜଣେ ମେଡ଼ିସିନ ଦୋକାନୀକୁ ଡ୍ରଗ୍ସ ଲାଇସେନ୍ସ କରାଇ ଦେବାକୁ କହି 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏଥିରେ ଅରାଜି ହେବାରୁ ତାଙ୍କ ଫାଇଲ କାମ କରିବାକୁ ଡାଟା ଏଣ୍ଟ୍ରି ଅପରେଟର ତପନ କୁମାର ସେଠୀ ସିଧା ସିଧା ମନାକରି ଦେଇଥିଲେ।
ବାରମ୍ବାର ଦୌଡ଼ି ନିରାଶ ହେବା ପରେ ମେଡ଼ିସିନ ଦୋକାନୀ ଜଣଙ୍କ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ। ପରେ ଲାଞ୍ଚୁଆ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ ।
ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଅଧିକାରୀମାନେ 10 ହଜାର ଟଙ୍କାରେ ରାସାୟନିକ ପ୍ରଲେପ ଦେଇ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦେବାକୁ କହିଥିଲେ ଓ ଡ୍ରଗ୍ସ ଅଫିସ ପାଖରେ ଛପି ରହିଥିଲେ।
ପରେ ଲାଞ୍ଚ ଅର୍ଥକୁ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ନେବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ କାବୁ କରି ନେଇଥିଲେ। ପରେ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରିବାକୁ କଟକ ଭିଜିଲାନ୍ସ ଅଫିସକୁ ନିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ