ଜଗତସିଂହପୁର: ଏହାରି ମଧ୍ୟରେ ଚାହୁଁ ଚାହୁଁ ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ବିତିଯାଇଛି ଦୁଇବର୍ଷ । କିନ୍ତୁ ଏବେବି ମନରୁ ଲିଭୁନାହିଁ ସେ କଳାଦିନର କଳାଚିହ୍ନ । ଆଜିବି ଦେଶ ମନେପକାଉଛି 44 ବୀର ସନ୍ତାନଙ୍କ ବଳିଦାନ । ବୀରଗତି ପ୍ରାପ୍ତ ହୋଇଥିବା ବୀରପୁତ୍ରର ସ୍ମୃତିକୁ ମନେପକାଇ ଲୁହ ଝରାଉଛି ପରିବାର ।
2019, ଫେବୃଆରୀ 14 ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା 44 ଯବାନଙ୍କ ମଧ୍ୟରେ ଥିଲେ ଓଡିଶାର 2 ବୀରପୁତ୍ର । ଏମାନଙ୍କ ମଧ୍ୟରୁ ପ୍ରସନ୍ନ କୁମାର ସାହୁ ଥିଲେ ଅନ୍ୟତମ । ଦେଶ ମାତୃକା ପାଇଁ ଜୀବନଦାନ ଦେଇ ପ୍ରସନ୍ନ ସିନା ଅମର ହୋଇଗଲେ କିନ୍ତୁ ପରିବାର ଆଜିବି ଝୁରୁଛି ତାଙ୍କୁ । ଗାଁ ମାଟି ଆଜିବି ଖୋଜୁଛି ତା'ର ସେଇ ବୀର ସନ୍ତାନକୁ । ଦେବୀ ନଦୀର ଆରପଟେ ପାରି ଶିଖର ଅଲୋଡ଼ା ଥିଲା । ନାଁ ଥିଲା ଏହାର ପରିଚୟ ନାଁ ରାସ୍ତା ଘାଟର ଥିଲା ସୁବିଧା । ସମସ୍ତଙ୍କ ପାଇଁ ଅପହଁଚତାର ଏହି ବୀର ମାଟି ଜନ୍ମ ଦେଇଥିଲା ପ୍ରସନ୍ନଙ୍କୁ ।
ଏହି ବୀର ଯବାନଙ୍କ ଶ୍ରାଦ୍ଧ ବାର୍ଷିକି ପାଳନ କରିଛନ୍ତି ଗ୍ରାମବାସୀ । ଏଥିସହ ଭାରତୀୟ ସେନାର ପ୍ରତିନିଧିମାନେ ସହିଦ ପ୍ରସନ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଅନ୍ୟପଟେ ପ୍ରସନ୍ନଙ୍କ ଜନ୍ମମାଟି ପାରିଶିଖର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ କରିବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯନ୍ତ କାର୍ଯ୍ୟକାରୀ ହୋଇନାହିଁ କୌଣସି କାମ । ସେହପରି ଗାଁ ସ୍କୁଲକୁ ପ୍ରସନ୍ନଙ୍କ ନାମରେ ନାମିତ ହେଉ କିମ୍ବା ରାସ୍ତା ନିର୍ମାଣ ଦୁଇ ବର୍ଷ ପରେ ବି କାର୍ଯ୍ୟକାରୀ ହୋଇ ପାରିନାହିଁ । ପ୍ରସନ୍ନ ତ ଦେଶପାଇଁ ଜୀବନ ଦେଇ ଚାଲିଗଲେ ଅଫେରା ରାଇଜକୁ, ଯଦି ତାଙ୍କ ସ୍ମୃତିରେ ଗାଁ ମାଟିରେ ଉନ୍ନୟନ କାର୍ଯ୍ୟ ହୋଇପାରନ୍ତା ତେବେ ବେଶ୍ ଭଲହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ