ଜଗତସିଂହପୁର : ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ପାରାଦୀପ ବନ୍ଦର ଯନ୍ତ୍ରୀ ତଥା ପରିବେଶବିତ ଅମରେଶ ନରେଶ ସାମନ୍ତ । ଏନେଇ ସେ ଗତ ସୋମବାର ଠାରୁ ଭୁବନେଶ୍ୱରରୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଏହି ଯାତ୍ରାକୁ ରାଜ୍ୟପାଳ ଗଣେଶୀଲାଲ ଉଦଘାଟନ କରିଥିଲେ। ତେବେ ଆଜି(ଗୁରୁବାର) ଅମରେଶ ନରେଶ ସାମନ୍ତ ପାରାଦୀପରେ ପହଞ୍ଚିବା ପରେ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀ ଓ ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହା ପରେ ସେ କଲିକତାର ଦୀଘା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ସମୟରେ ସେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିବେ । ଏବଂ ଏକାଧିକ ସଂଗଠନ ଜରିଆରେ ସବୁଜ ଭାରତ ଉପରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ସେ ସାଇକେଲରେ ୧୨ଶହ କିଲୋମିଟର ଯାତ୍ରା କରିବାକୁ ଯୋଜନା ରଖିଥିବାବେଳେ ଅମରେଶ ଗତ ଦୁଇ ଦଶନ୍ଧିରେ ୨୫ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ସହ ବିଭିନ୍ନ ସମାଜ ସଂସ୍କାର କାମ କରୁଛନ୍ତି । ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ସମ୍ମାନୀତ କରିଥିବାବେଳେ ଅମରେଶ ନରେଶ ସାମନ୍ତଙ୍କ ଏହି ସଚେତନତା ସାଇକେଲ ଯାତ୍ରା ଦ୍ବିତୀୟ ଥର ପାଇଁ ଆରମ୍ଭ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ