ଜଗତସିଂହପୁର: କେନ୍ଦ୍ରାପଡାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଲକଡାଉନକୁ କଡାକଡି କରାଯାଇଛି । ଜିଲ୍ଲାର ଜଗତସିଂହପୁର ଓ ପାରାଦୀପ ସହରର ସମସ୍ତ ପେଟ୍ରୋଲ ପମ୍ପରେ କଟକଣା ଜାରି କରିଛି ପ୍ରଶାସନ। ଆଜି(ବୁଧବାର) ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦିନ ଗୋଟାଏ ପରେ କାହାକୁ ପେଟ୍ରୋଲ ନଦେବାକୁ ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିମଧ୍ୟରୁ ପୋଲିସ ଗାଡି, ବ୍ଲକ, ତହସିଲ, ଆମ୍ବୁଲାନ୍ସ, ଓ ମାଲ ପରିବହନ ଯାନ ଗୁଡିକୁ ବାଦ ଦିଆଯାଇଛି। ଜିଲ୍ଲାରେ କେତେକ ଲୋକେ ଲକଡାଉନ ନିୟମ ମାନୁ ନଥିବାରୁ ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ଅପରପକ୍ଷରେ ଜିଲ୍ଲାରେ ଲକଡାଉନ ନିଅମକୁ ଉଲ୍ଲଂଘନ କରି ଆଜିସୁଦ୍ଧା 204 ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ନିୟମ ଭାଙ୍ଗୁଥିବା ଅମାନିଆ ଚାଳକଙ୍କୁ ପେଟ୍ରୋଲ ନଦେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯଦି କୌଣସି ପେଟ୍ରୋଲ ପମ୍ପ ମାଲିକ ଏହାକୁ ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଦିନ ଗୋଟଏ ପରେ ଯଦି କୌଣସି ବ୍ୟକ୍ତିଙ୍କୁ ଗାଡି ନେଇ ରାସ୍ତାରେ ଦେଖିବାକୁ ମିଳେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୋଲିସ ମୁଖ୍ୟାଳୟ ସୂତ୍ରରୁ ଖବର ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ