ଜଗତସିଂହପୁର: ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା' କୁତାମଚଣ୍ଡୀ ମନ୍ଦିର । ଜଗତସିଂହପୁର ସହର ଠାରୁ ନାଉଗାଁ ଆଡ଼କୁ ୧୫ କିଲୋମିଟର ଯିବାପରେ ଦେବୀନଦୀ କୂଳରେ ପଡେ ଏହି ପ୍ରସିଦ୍ଧ ଶକ୍ତିପୀଠ । ଏଠାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ । ଆଜି ପର୍ଯ୍ୟନ୍ତ ବି ଏହିଠାରେ ବଳି ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ବେଳେ ପାର୍ବଣ ଆସିଲେ ଏହି ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ । ମା'ଙ୍କ ସାନିଧ୍ୟ ଲାଭ କରିବା ପାଇଁ ଭକ୍ତ ହୋଇ ଉଠେ ବ୍ୟାକୁଳ ।
ମା' କୁତାମଚଣ୍ଡୀଙ୍କ ପ୍ରସିଦ୍ଧ ପୀଠରେ ବାରମାସରେ ତେରଯାତ୍ରା ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ପାର୍ବଣ ପୂଜା ଅନ୍ୟତମ । ପଞ୍ଚ ଶହ ବର୍ଷର ଏହି ପୁରାତନ ଶକ୍ତି ପୀଠର ଅନେକ କିମ୍ବଦନ୍ତୀ ରହିଛି । ଲୋକ କଥା ଅନୁସାରେ ଦେବୀନଦୀରେ ପ୍ରବଳ ବନ୍ୟା ଜଳରେ ଏକ ଦେବୀ ବିଗ୍ରହ ଭାସି ଆସି ଜଣେ କୃଷକଙ୍କ କ୍ଷେତରେ ଲାଗିଥିଲେ । ସେ କ୍ଷେତକୁ ପ୍ରତ୍ୟେକ ଦିନ କିଏ ଜଣେ ନଷ୍ଟ କରୁଥିଲା । ଏହାଦେଖି କୃଷକ ଜଣକ ବିରକ୍ତି ପ୍ରକାଶ କରିବା ସହ ଗାଳି ଦେଇଥିଲେ । ଫସଲ ନଷ୍ଟ କରିଥିବାରୁ ମା' କୃଷକଙ୍କ ଘରେ ଏକ ନାରୀ ରୂପରେ ରହି ତାଙ୍କର ସମସ୍ତ ପ୍ରକାର କାମ କରିଥିଲେ । ଏହିଭଳି ୧୨ ବର୍ଷ ବିତିଗଲା ପରେ ମା' କୁତାମଚଣ୍ଡୀ ନିଜେ ପ୍ରକଟ ହେବା ସହ 'ମୁଁ କୁତାମଚଣ୍ଡୀ, ବନ୍ୟାରେ ମୁଁ ହିଁ ଭାସିଆସି ଏଠାରେ ରହିଥିଲି' ବୋଲି କହିଥିଲେ । ସେହିଦିନ ଠାରୁ ମା'ଙ୍କ ପୂଜାର୍ଚ୍ଚନା ଚାଲି ଆସୁଛି । ତତ୍କାଳୀନ ଜମିଦାର ମା'ଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରିବା ସହ ନୀତିକାନ୍ତି ପାଇଁ ବ୍ରାହ୍ମଣ ପୂଜକକୁ ନିଯୁକ୍ତ କରିଥିଲେ ।
ଏଠାରେ ନୀତିକାନ୍ତି ମଧ୍ୟ ଅନନ୍ୟ । ପ୍ରତ୍ୟେକ ଦିନ ମା'ଙ୍କ ନିକଟରେ ଆମିଷ ଭୋଗ ଅର୍ପଣ କରିବାର ବିଧି ରହିଛି । ଏ ନେଇ ମନ୍ଦିରର ଗବେଷକ ପ୍ରସନ୍ନ କୁମାର ପାଢୀ କହିଛନ୍ତି, "ପ୍ରତ୍ୟେକ ଦିନ ଦେବୀ ନଦୀରୁ କୈବର୍ତ୍ତ ମାନେ ମାଛ ମାରି ପ୍ରଥମ ମାଛକୁ ମା' କୁତାମଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ସେହି ମାଛକୁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରାଯାଇ ମା'ଙ୍କୁ ଭୋଗ ଲଗାଯାଏ । ଦିନେ ଜଣେ କୈବର୍ତ୍ତର ଜାଲରେ ବଡ଼ ମାଛ ପଡ଼ିବାରୁ ସେ ଲୋଭରେ ମା'ଙ୍କୁ ଅର୍ପଣ କରିନଥିଲା । ଏହାପରେ ତା'ର ଡଙ୍ଗା ଦେବୀ ନଦୀରେ ବୁଡି ଯାଇଥିଲା । ଏହିପରି ମା'ଙ୍କର ଅନେକ କିମ୍ବଦନ୍ତୀ ରହିଛି । "
ଏଠାରେ ନୀତିକାନ୍ତି ମଧ୍ୟ ବେଶ ଅନନ୍ୟ । ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ, ମାର୍ଯ୍ୟନା ପରେ ବାଳଧୂପ ହୋଇଥାଏ, ମଧ୍ୟାହ୍ନରେ ଅନ୍ନ, କ୍ଷୀରି ଏଣ୍ଡୁରି ଲାଗି ଓ ରାତ୍ରରେ ମା'ଙ୍କୁ ମାଛ ତରକାରୀ ଭୋଗ କରାଯାଇଥାଏ। ପ୍ରତ୍ୟେକ ଦିନ ଏହି ପରମ୍ପରା କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଛି । ସେହିପରି ମା'ଙ୍କ ମହିମା ମଧ୍ୟ ଅତୁଳନୀୟ । ଯେଉଁ ଭକ୍ତ ବିପଦରେ ପଡି ମା'ଙ୍କୁ ସ୍ମରଣ କରିଛି ସେ ତାର ମନସ୍କାମନା ପୂର୍ଣ୍ଣ କରିଛନ୍ତି । ଭକ୍ତଟିଏ ଆକୁଳ ପ୍ରାର୍ଥନା କଲେ ମା' ହୃଦୟ ବିଚଳିତ ହୋଇଯାଏ । ନିଜ ପଣତ କାନିରେ ଘୋଡାଇ ରଖି ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଏ ।
ଇଟିଭି ଭାରତ, ଜଗତସିଂହପୁର