ଜଗତସିଂହପୁର: କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ବ । ୭ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା । ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଉପକୂଳ ଆଡ଼କୁ ଆସି ଅଣ୍ଡା ଦାନ କରନ୍ତି । ତେବେ କଇଁଛଙ୍କ ସୁରକ୍ଷା (Olive Ridley Protection )କୁ ଦୃଷ୍ଟିରେ ରଖି ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଛି (Seven months fishing ban by Fisheries Department)। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସମୁଦ୍ର ଉପକୂଳ ଠାରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡଙ୍ଗା କିମ୍ବା ଟ୍ରଲର ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି । ଯଦି ଏହି ନିୟମକୁ ଯେଉଁ ମତ୍ସଜୀବୀ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି । ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଏହି ସମୟରେ ଅଣ୍ଡା ଦାନ ପାଇଁ ଉପକୂଳ ଆଡକୁ ଆସିଥାନ୍ତି । ସେମାନଙ୍କ ସୁରକ୍ଷା ସହିତ ବିରଳ ମାଛ ବଂଶ ବୃଦ୍ଧି, ପ୍ରଜାନନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହା ବି ପଢନ୍ତୁ- ୧୧ ଦଫା ଦାବି ନେଇ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା
ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସେହିଭଳି ପାରାଦ୍ବୀପର ମହାନଦୀ ମୁହାଣ, ଦେବୀ, ଋଷିକୂଲ୍ୟା ଓ ବରୁଣେଇ ମୁହାଣରେ ମଧ୍ୟ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଆଜିଠାରୁ ଏହା ଲାଗୁ ହୋଇ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ ବଳ ବତ୍ତର ରହିବ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ପାଇଁ ରାଜ୍ୟର ଋଷିକୂଲ୍ୟା, ଦେବୀନଦୀ ମୁହାଣକୁ ଆସିଥାନ୍ତି । ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ସେମାନେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି । ଏହାସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ ।
ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ । ତେବେ ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଦେବୀନଦୀ ମୁହାଣ ଠାରୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ର ଠାରୁ ୫ କିମି ପରଧି ମଧ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ବ୍ୟାନ୍ କରାଯାଇଛି। ଏହି ନିୟମ ଯେପରି ସଠିକ ଭାବେ ଲାଗୁ କରାଯିବ ସେନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯିବ । ମାଛଧରା କଟକଣାକୁ ଉଲ୍ଲଘଂନ କଲେ ଜୋରିମାନା, ଜେଲଦଣ୍ତ ସହ ଟ୍ରଲର ଓ ଡଙ୍ଗା ଜବତ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।
ଇଟିଭି ଭାରତ, ଜଗତସିଂହପୁର