ଜଗତସିଂହପୁର: ଜିଲ୍ଲାରେ ଲକଡାଉନ ଘୋଷଣା ହେବା ପରେ ସାଧାରଣ ଜୀବନ ଯାତ୍ରା ଠପ ହୋଇଯାଇଛି। ଏହି କ୍ରମରେ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ କିପରି ରହିଛି ସ୍ଥିତି ସେ ସମ୍ପର୍କରେ ଅଧିକ କିଛି ଜାଣିବାପାଇଁ ଆମ ସମ୍ବାଦଦାତା ପହଞ୍ଚିଥିଲେ ଝଙ୍କଡ଼ ଶାରଳା ପୀଠରେ ।
ଭକ୍ତଙ୍କ ପାଇଁ ମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ସିଲ କରି ଦିଆଯାଇଥିବା ବେଳେ ମୁଖ୍ୟ ଦ୍ବାରର ଗଳା ବାଟକୁ ଖୋଲା ରଖାଯାଇଛି । ବର୍ତ୍ତମାନ ଚୈତ୍ର ମଙ୍ଗଳବାର ଓ ବାସନ୍ତିକ ଦୁର୍ଗା ପୂଜାର ସପ୍ତମୀ ପୂଜା ଥିବାରୁ ମନ୍ଦିରରେ ଯଥାବିଧି ପୂଜା ଅନୁଷ୍ଠିତ ହେଉଛି । ପୋଲିସ ବଳୟ ମଧ୍ୟରେ ମନ୍ଦିରକୁ ରଖାଯିବା ସହ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ନିଷିଧ କରାଯାଇଛି।
ଅପରପକ୍ଷରେ ମା' ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରାକୁ କୋରୋନା ପାଇଁ ବନ୍ଦ କରି ଦିଆଯାଇଛି । ସଂକ୍ରମଣର ଆଶଙ୍କା ଥିବାରୁ ସେବା ନ ଥିବା ସେବକ ମାନଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ଅନୁମତି ଦିଆଯାଉନାହିଁ। ସେପଟେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ନଥିବାରୁ ସେବକ ମାନଙ୍କ ଆର୍ଥିକ ସମସ୍ୟା ଦେଖାଦେଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେବକ ମାନେ ଦାବି କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ