ଜଗତସିଂହପୁର : ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ଏନଡିଆରଏଫ ଟିମ ପହଁଚି ପ୍ରସ୍ତୁତି ଆରମ୍ଭ କରିଛି । ଗତକାଲି ଏନଡିଆରଏଫ ଟିମ ଗୁଜୁରାଟରୁ ଫେରି ପାରାଦ୍ୱୀପରେ ପହଞ୍ଚିଥିଲା । ତେବେ ଆଜି(ରବିବାର) ସେମାନଙ୍କୁ ବାଲିକୁଦା,ଏରସମା, କୁଜଙ୍ଗ ଆଦି ସ୍ଥାନକୁ ପଠାଇ ଦିଆଯାଇଛି ।
ପାରାଦ୍ୱୀପ-ସାଗର ଦୀପ ମଧ୍ୟ ଭାଗ ଦେଇ ସମ୍ଭାବ୍ୟ ବାତ୍ୟା ୟାସ ଆସନ୍ତା 26 ତାରିଖରେ ଲ୍ୟାଣ୍ତଫଲ କରିବାର ସମ୍ଭାବନା ରହିଛି । ଫଳରେ ପାରାଦ୍ୱୀପ, କୁଜଙ୍ଗ, ଏରସମା ବାଲିକୁଦା, ଜଗତସିଂହପୁର ଆଦି ସ୍ଥାନରେ ଘଣ୍ଟାପ୍ରତି 150 ରୁ 175 କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ । ଫଳରେ ବଡ଼ ବଡ଼ ଗଛ ଗୁଡିକ ଉପୁଡିବା ସହ ଚାଳ ଛପର ଓ ଆଜିବେଷ୍ଟ ଘର ଉଡିଯିବାର ସମ୍ଭାବନା ଅଧିକ ରହିଛି ।
ତେଣୁ ଏହାର ମୁକାବିଲା କରିବା ପାଇଁ ଆଜି ଏନଡିଆରଏଫ ଟିମ 5 ଭାଗରେ ବିଭକ୍ତ ହୋଇ ବାଲିକୁଦା, ପାରାଦୀପ, ଏରସମା କୁଜଙ୍ଗ, ଓ ଗୋଟେ ଟିମ ଜଗତସିଂହପୁରରେ ପ୍ରସ୍ତୁତ ହୋଇ ରହିଥିବା ଖବର ମିଳିଛି ।ସମ୍ଭାବ୍ୟ ବାତ୍ୟା ଛାଡିବା ପରେ ଉଦ୍ଧାର କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ନ ହେବ ତାକୁ ନେଇ ଟିମ ପ୍ରସ୍ତୁତ ରହିଛି । ଆବଶ୍ୟକସ୍ଥଳେ ଆହୁରି ଅଧିକ ଟିମ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ