ଜଗତସିଂହପୁର: ମାନବ ସମାଜ ଏବେ ପୃଥିବୀ ଛାଡି ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ରହିବାକୁ ବେଶ ପସନ୍ଦ କଲାଣି । ଯେଉଁଥିପାଇଁ ସେ ଚନ୍ଦ୍ରରେ ଯାଗା କିଣିବା ଆରମ୍ଭ କରିସାରିଲାଣି । ଆମେ ସାଧାରଣତଃ ଜନ୍ମ ଦିନରେ, ବିବାହ ବାର୍ଷିକୀରେ କିମ୍ବା କୌଣସି ଭଲ ଦିନରେ ଖୁସିରେ ନିଜର ଆତ୍ମୀୟ ସ୍ବଜନଙ୍କୁ କିଛି ଗିଫ୍ଟ ଦେଇଥାଉ। ଆଉ ସେହି ଗିଫ୍ଟ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା କିଛି ସାମଗ୍ରୀ ହୋଇଥାଏ । ହେଲେ ଏବେ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ କୌତୁହଳ ମଧ୍ୟ ବୃଦ୍ଧି ପାଇବ ।
ଜଗତସିଂହପୁର କୁଜଙ୍ଗ ବ୍ଲକ ବଡଙ୍ଗ ଗାଁର ଯୁବ ସମାଜସେବୀ ପ୍ରବୀର। ଯିଏ ତାଙ୍କ ଝିଅ ପ୍ରଦ୍ୟାଶାର ଜନ୍ମଦିନ ଓ ସ୍ତ୍ରୀ ଦେବଶ୍ରୀଙ୍କୁ ବିବାହ ବାର୍ଷିକୀରେ ଜହ୍ନରେ 2ଟି ଜାଗା କିଣି ଉପହାର ଦେଇଛନ୍ତି । ସେ ଆମେରିକାର ଲୁନାର ସୋସାଇଟିରୁ ଦୁଇଟି ମୂଲ୍ୟବାନ ଜାଗା କିଣି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏଥିପାଇଁ ତାଙ୍କୁ ପ୍ରାୟ ୧୨୪ ଡଲାର ଖର୍ଚ୍ଚ କରିବାକୁ ପଡିଛି। ବାପା ହେମନ୍ତ କୁମାର ପ୍ରଧାନ ଏବଂ ମା ଅହଲ୍ୟା ପୁଅ ପ୍ରବୀରଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ।
ଏହି ବହୁ ମୂଲ୍ୟ ଉପହାର ପାଇ ବିଶ୍ବାସ କରିପାରୁନଥିବା କହିଛନ୍ତି ଝିଅ ପ୍ରତ୍ୟାଶା। ପ୍ରତ୍ୟାଶାଙ୍କ କହିବାନୁସାରେ, ମୁଁ ମଙ୍ଗଳ ଗ୍ରହ, ଚନ୍ଦ୍ର ବିଷୟରେ ମୋ ସାଇନ୍ସ ବହିରୁ ପଢିବା ପରେ ବାପାଙ୍କୁ ପ୍ରଶ୍ନ ପଚାରେ କିନ୍ତୁ ବାପା ଏହାକୁ ମୋତେ ମୋ ଜନ୍ମଦିନରେ ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଉପହାର ପ୍ରଦାନ କରିବେ ବୋଲି ମୁଁ କେବେ ଭାବିନଥିଲି l ପ୍ରବୀରଙ୍କ ପତ୍ନୀ ଦେବଶ୍ରୀ ମଧ୍ୟ ସ୍ବାମୀଙ୍କ ଏହି ଉପହାରକୁ ଏକ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିବା ସହ ଏହା ମୋ ଆସନ୍ତା ପିଢ଼ି ନିମନ୍ତେ ଏକ ଦିଗଦର୍ଶନ ଦେବା ସହିତ ମୋ ନାତି, ଅଣନାତିଙ୍କ ପାଇଁ ଏକ ଗର୍ବ ବୋଲି କହିଛନ୍ତି l ତେବେ ବାପାଙ୍କର ଏହି ଉପହାର ନିକଟକୁ ଯିବା ପାଇଁ ମୁଁ ଏବେଠୁ ପ୍ରସ୍ତୁତ ହେଉଛି କହିଛନ୍ତି ଝିଅ ପ୍ରତ୍ୟାଶା।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ