ଜଗତସିଂହପୁର: ପ୍ରସ୍ତାବିତ ଢ଼ିଙ୍କିଆ ଚାରିଦେଶରେ ହେବାକୁ ଥିବା JSW ପ୍ରକଳ୍ପକୁ ବିରୋଧ ଜାରି ରହିଛି । ପ୍ରକଳ୍ପକୁ ବିରୋଧ କରୁଥିବା ସ୍ଥାନୀୟ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ଢେଲା ପଥର ମାଡ଼ ହୋଇଥିବାବେଳେ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ହୋଇଥିବା ଜଣାପଡିଛି ।
ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ବାଇଁଙ୍କ ଦାଦା ଅଯୋଧ୍ୟା ସ୍ବାଇଁ ଓ ଭଉଣୀ ମିଲି ସ୍ବାଇଁଙ୍କୁ ପୋଲିସ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଢ଼ିଙ୍କିଆ ଗ୍ରାମବାସୀ ଏକାଠି ହୋଇ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ । ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା ।
ଏହାମଧ୍ୟ ପଢନ୍ତୁ: ଜନ ଶୁଣାଣି ବିଫଳ ପରେ ଲୋକଙ୍କ ପାଇଁ କ୍ଷତିପୂରଣ ପ୍ୟାକେଜ ଘୋଷଣା କଲା JSW
ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ମାଡ଼ କରିବାକୁ ବାଧ୍ୟ ହୋଇଥିଲା । ପରେ ଲାଠିମାଡରେ ଏକାଧିକ ଗ୍ରାମବାସୀ ଆହତ ହୋଇଥିବାବେଳେ କେତେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ