ଜଗତସିଂହପୁର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାରାଦୀପର ବିଭିନ୍ନ ବସ୍ତି ଓ ଝୁମ୍ପୁଡି ଘରେ ବସବାସ କରୁଥିବା ଲୋକେ ଆଶା ଓ ଆଶଙ୍କାରେ ଥିବାବେଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ନିଜ ଘର ସଜାଡ଼ିବା ଆରମ୍ଭ କରିଦେଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ଦିଗ ପରିବର୍ତ୍ତନ କରିବା ଫଳରେ ସ୍ଥାନୀୟ ଲୋକେ ଆଶ୍ବସ୍ତି ଅନୁଭବ କରୁଥିବାବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ଫେରି ଆସୁଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ନେହୁରୁ ବଙ୍ଗଳାର ମାଛଧରା ବନ୍ଦରରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୮ ତାରିଖ ଠାରୁ ସମୁଦ୍ର ଅଶାନ୍ତ ରହିବ, ଫଳରେ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀ ତୁରନ୍ତ କୂଳକୁ ଫେରି ଆସିବାକୁ ନିବେଦନ କରାଯାଇଛି । ବାତ୍ୟାର ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପୌର ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ପାଇଁ ପମ୍ପ ରଖାଯାଇଛି । ଯେଉଁ ଅଞ୍ଚଳରେ ପାଣି ଜମିବାର ଖବର ଆସେ ସେଠାରେ ତୁରନ୍ତ ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ବାତ୍ୟାର ପ୍ରଭାବ ନଥିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ