ଜଗତସିଂହପୁର: ଋଣ ନେଲା ପୁଣି ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତ ଅଜଗରପିଣ୍ଡି ଗ୍ରାମରେ ।
ଜଣେ ବିବାହିତ ମହିଳା ସୀତା ମାଳି ଋଣ ଭାର ସୁଝି ନପାରି ଆତ୍ମହତ୍ୟା କରିଥିବା ମହିଳାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ମୃତା ମହିଳା ଓ ତାଙ୍କ ସ୍ବାମୀ ରଞ୍ଜନ ମାଳି ଧାର ଉଧାର କରି ଏକ ଚିଙ୍ଗୁଡି ଘେରି କରିଥିଲେ। ଏହି ଚିଙ୍ଗୁଡି ଘେରି କ୍ଷତିରେ ଚାଲିବା ସହ ଋଣ ପରେ ଋଣ ହୋଇଥିଲା । ହେଲେ ଆବଶ୍ୟକ ଋଣ ସୁଝିପାରି ନଥିଲେ।
ଯାହାକୁ ନେଇ ଉଭୟ ଦମ୍ପତି ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ। ଆଜି ମଧ୍ୟାହ୍ନରେ ମହିଳାଙ୍କ ସ୍ବାମୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ମହିଳା ଜଣକ ନିଜର ୮ ମାସର ଶିଶୁ ପୁତ୍ରକୁ ଶୁଆଇ ଦେଇ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଏରସମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ