ଜଗତସିଂହପୁର: ଜିଲ୍ଲାର ଇଷ୍ଟ ଦେବୀ ମା' ଶାରଳା ଓ ଅନ୍ୟ ପ୍ରମୁଖ ଶକ୍ତିପୀଠଗୁଡିକରେ ମଧୁ ପାର୍ବଣ ଓ ମା' ବାସନ୍ତିଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଝଙ୍କଡ଼ର ମା' ଶାରଳା, ଦେବୀଦୋଳର ମା' କୁତମ ଚଣ୍ଡୀ, ସା ପୁରର ମା' କନକ ଦୁର୍ଗା, କେନ୍ଦାଳ ମା' ତାରିଣୀଙ୍କ ମନ୍ଦିରରେ ଆଜି(ମଙ୍ଗଳବାର) ଠାରୁ ନବଦିନାତ୍ମକ ଚଣ୍ଡୀ ପାଠ, ହୋମଯଜ୍ଞ ଆଦି ଆରମ୍ଭ ହେଉଛି ।
ପ୍ରତ୍ୟୁଷରୁ ମା'ଙ୍କୁ ସ୍ନାନ ମାର୍ଜନା, ବେଶ ଷୋଡଶ ଉପଚାର ଆଦି ଯଥା ବିଧି ପୂଜାର୍ଚ୍ଚନା କରାଯାଇଛି । ଉତ୍କଳୀୟ ପରମ୍ପରା ଅନୁସାରେ ବର୍ଷକୁ ଦୁଇଥର ଦେବୀ ଦୁର୍ଗାଙ୍କୁ ଉପାସନା କରାଯାଇଥାଏ । ଆଦ୍ୟ ପୂଜା ଭାବରେ ଚୈତ୍ର ମାସରେ ମଧୁ ପାର୍ବଣରେ ମା'ଙ୍କୁ ଆବାହନ କରାଯାଉ ଥିବାବେଳେ ଆଶ୍ୱିନ ମାସରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରୁ ବ୍ରହ୍ମାଦି ଦେବତାମାନେ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମା' ଦୁର୍ଗାଙ୍କୁ ଆରାଧନା କରିଆସୁଥିଲେ ।
ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ଅକାଳ ବୋଧନୀ ପୂଜା ବା ଶାରଦୀୟ ଦୁର୍ଗାପୂଜା କରୁଥିଲେ । ଏହାକୁ ନେଇ ସେହିଦିନ ଠାରୁ ବର୍ଷକୁ ଦୁଇଥର ମା'ଙ୍କ ପୂଜାବିଧି ଅନୁଷ୍ଠିତ ହୋଇଥାଏ ବୋଲି କିମ୍ବଦନ୍ତୀ ରିହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ