ଜଗତସିଂହପୁର: ଶ୍ବଶୁର ଘରେ ଜ୍ୱାଇଁକୁ ତଣ୍ଟିକାଟି ହତ୍ୟା ଉଦ୍ୟମ । ଶାଶୁ, ଶ୍ବଶୁର ଓ ସ୍ତ୍ରୀ ମିଳିତ ଭାବେ ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ କଟକ ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜ୍ବାଇଁ । ଘଟଣା ପରେ ସ୍ତ୍ରୀ ଓ ଶାଶୁକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଶ୍ବଶୁର ଫେରାର ଥିବା ଜଣାପଡିଛି ।
ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଦ୍ମପୁର ପଞ୍ଚାୟତ କେନ୍ଦୁମଠ ଗ୍ରାମରେ । ଗ୍ରାମରେ ଜଗା କାଣ୍ଡି, ତାଙ୍କ ସ୍ତ୍ରୀ ନିରୁପମା କାଣ୍ଡି ଝିଅ ମିନୁ କାଣ୍ଡି ସହ ମିଶି ଜ୍ୱାଇଁ ବିଶିକେଶନ ବେହେରା(୨୪)ଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିବା ଏରସମା ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଆହତ ଆବସ୍ଥାରେ ବିଶିକେଶନକୁ ଏରସମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ତଣ୍ଟିରେ ୧୮ଟି ଷ୍ଟିଜ ପଡିଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୀଡିତଙ୍କ ମାଆ ନୟନା ବେହେରା ଗତକାଲି(ସୋମବାର) ଏନେଇ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
କେସ୍ ନମ୍ବର ୧୩୧/୨୨ ରେ ପୋଲିସ ମାମଲା ରୁଜୁ କରି ବିଶିକେଶନର ସ୍ତ୍ରୀ ମିନୁ କାଣ୍ଡି ଓ ଶାଶୁ ନିରୁପମାଙ୍କୁ ଏରସମା ପୋଲିସ ଗିରଫ କରି ଆଜି(ମଙ୍ଗଳବାର) କୋର୍ଟଚାଲାଣ କରିଛି । ଅନ୍ୟପଟେ ଶ୍ବଶୁର ଜଗା କାଣ୍ଡି ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ, ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତର ଦୁର୍ଗାପୁର ବହୁଳିଆ ଗାଁର ନୟନା ବେହେରାଙ୍କ ପୁଅ ବିଶିକେଶନ ବେହେରା ପଦ୍ମପୁର ପଞ୍ଚାୟତର ଜଗା କାଣ୍ଡିଙ୍କ ଝିଅ ମିନୁ କାଣ୍ଡିଙ୍କୁ ୨୦୨୦ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହର ବର୍ଷକ ମଧ୍ୟରେ ସ୍ବାମୀ ବିଶିକେଶନ ଓ ପତ୍ନୀ ମିନୁ କାଣ୍ଡିଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିବାରୁ ପତ୍ନୀ ମିନୁ କାଣ୍ଡି ବାପଘରେ ରହିଆସୁଥିଲେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ରହିଥିଲେ ହେଁ ଜ୍ବାଇଁ ବିଶିକେଶନ ଶ୍ବଶୁର ଘରକୁ ଯିବା ଆସିବା କରୁଥିଲେ । ପୁଅ ଦେହ ଭଲନଥିବା ଖବର ପାଇ ଗତକାଲି ସକାଳେ ଶ୍ବଶୁର ଘରକୁ ଯାଇଥିଲେ ବିଶିକେଶନ ।
ସେଠାରେ ପହଞ୍ଚିବା ପରେ କୌଣସି ଘଟଣାକୁ ନେଇ ଶ୍ବଶୁର, ଶାଶୁ ଓ ଜ୍ବାଇଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁ ନେଇ ଶ୍ବଶୁର, ଶାଶୁ ଓ ପରିବାର ଲୋକେ ଜ୍ବାଇଁ ବିଶିକେଶନକୁ ମାଡ ମାରିବା ସହ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି । ବିଶିକେଶନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାବେଳେ ସଞ୍ଜୟ ନାମକ ଜଣେ ଯୁବକ ବିଶିକେଶନର ମାଆ ନୟନାଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ମାଆ ନୟନା ପଡୋଶୀଙ୍କ ସହଯୋଗରେ ବିଶକେଶନକୁ ଉଦ୍ଧାର କରି ଏରସମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିଶିକେଶନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ