ଜଗତସିଂହପୁର: କେତେ ଦୁଃଖ କଷ୍ଟ ସହି ମାଆ ପିଲାଙ୍କୁ ବଡ କରେ । ପିଲାର ସୁରକ୍ଷା ପାଇଁ ଦୁନିଆ ସହ ଲଢିଯାଏ ମାଆ । ହେଲେ ତାର ମୂଲ ବୁଝିନାହିଁ ତା ସନ୍ତାନ । ଜଣେ 75 ବର୍ଷୀୟ ବୃଦ୍ଧାଙ୍କୁ ନିର୍ଯାତନା ଦେଇଛି ତାଙ୍କ ଝିଅ । ମାଡ ମାରିବା ସହିତ ଗୋଟିଏ ଘରେ ତାଲା ପକାଇ ରଖିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନ ଅନ୍ତର୍ଗତ ଜାମୁଙ୍ଗା ପଞ୍ଚାୟତ ସୁଣ୍ଠଳ ଗ୍ରାମରେ ଘଟିଛି ଏ ଘଟଣା । ପୋଲିସ ଖବର ପାଇଁ ବୃ୍ଦ୍ଧାଙ୍କୁ ବନ୍ଦ ଘରୁ ଉଦ୍ଧାର କରିଛି ।
ସୂଚନାଅନୁସାରେ, ନାଉଗାଁ ଥାନା ଅନ୍ତର୍ଗତ ଜାମୁଙ୍ଗା ପଞ୍ଚାୟତ ସୁଣ୍ଠଳ ଗ୍ରାମର ଉଷାରାଣୀ ବାରିକ । ବୟସ 75 ହେଲାଣି। ସ୍ବାମୀ ହାତଛାଡି କେବେଠୁ ଆରପରିକୁ ଚାଲିଯାଇଛନ୍ତି । ତାଙ୍କର ଦୁଇଝିଅ ଓ ଗୋଟିଏ ପୁଅ ଅଛନ୍ତି। ଦୁଇ ଝିଅ ବିବାହ କରିଥିବା ବେଳେ ପୁଅଟି ମାନସିକ ବିକାରଗ୍ରସ୍ତ। ବୃଦ୍ଧାଙ୍କ ସାନଝିଅ ଶାଶୂଘର ଛାଡି ଚାଲି ଆସିବା ସହ ମାଆ ଉଷାଙ୍କ ପାଖରେ ରହୁଥିଲେ। ସାନ ଝିଅ ଭାନୁପ୍ରିୟା ବିଭିନ୍ନ ସମୟରେ ନିଜ ବୃଦ୍ଧା ମାଆଙ୍କୁ ମାରଧର କରିବା ସହ ନିର୍ଯାତନା ଦେଇ ଆସୁଥିଲେ । କିଛିଦିନ ହେବ ନିଜ ବୃଦ୍ଧା ମାଆଙ୍କୁ ଏକଘରେ ବନ୍ଦ କରି ତାଲା ପକାଇ ରଖିଥିବା ନେଇ ପଡୋଶୀ ଜାଣି ପାରିଥିଲେ । ଏ ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ତାଲା ଭଙ୍ଗି ବୃଦ୍ଧାଙ୍କୁ ଉଦ୍ଧାର କରିଛି । ଉଷାଙ୍କ ଝିଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ପ୍ରତିବର୍ଷ ମଦର୍ସ ଡେ ପାଳନ ହେଉଥିବାର ଆମେ ଦେଖିଛେ । ମାଆଙ୍କ ପାଇଁ ଗୋଟିଏ ଦିନ ପାଳନ କରନ୍ତି ସନ୍ତାନ । ଘର ପ୍ରତି ପିଲାଙ୍କ ପ୍ରତି ମାଆଙ୍କ ଅବଦାନ ଅତୁଳନୀୟ । କେବେଳ ଗୋଟିଏ ଦିନ ମଦର୍ସ ଡେ ନୁହେଁ ପ୍ରତିଦିନ ମାଆ ପାଇଁ ହେଉ । ହେଲେ ଆଜିକାଲି ମାଆଙ୍କୁ ହତାଦର କରାଯାଉଥିବା ଦେଖିବାକୁ ମିଳିଛି । ଦୁନିଆ ଏତେ ଆଧୁନିକ ହେଉଛି ହେଲେ ଏପରି କୁତ୍ସିତ କାର୍ଯ୍ୟକଳାପ କରିବା କେବେ ବନ୍ଦ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇଟିଭି ଭାରତ, ଜଗତସିଂହପୁର