ଜଗତସିଂହପୁର: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଢଙ୍ଗରେ ନିର୍ବାଚନ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ ଆଜି(ଗୁରୁବାର) ପ୍ରଶାସନ ପକ୍ଷରୁ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରାଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହି ଆଲୋଚନା ହୋଇଥିଲା ।
କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପୂର୍ବକ ନିଜ ଦଳର କର୍ମୀଙ୍କୁ ସଚେତନ କରାଇଥିଲେ ଜିଲ୍ଲାପାଳ । ସେପଟେ ଆଦର୍ଶ ଆଚରଣ ବିଧିକୁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବାଲିକୁଦାରେ ପ୍ରର୍ଥମ ପର୍ଯ୍ୟାୟ ନିର୍ବାଚନ ଫ୍ରେବୁଆରୀ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଫେବୃଆରୀ ୧୮ରେ ଅନୁଷ୍ଠିତ ହେବ । ସେହିଭଳି ଫେବୃଆରୀ ୨୦ରେ ତିର୍ତ୍ତୋଲ ଓ ବିରିଡିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ ।
ଫେବ୍ରୁଆରୀ ୨୨ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କୁଜଙ୍ଗ ଓ ରଘୁନାଥପୁରରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଏରସମା ଓ ନାଉଗାଁ ବ୍ଲକରେ ହେବ । ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଆରକ୍ଷୀ ଅଧିକ୍ଷକ ଅଖିଲେଶ୍ଵର ସିଂ, ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ