ଜଗତସିଂହପୁର: ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠରେ କୋରୋନା କଟକଣା ମଧ୍ୟରେ ଚାଲୁ ରହିଛି ଦଶହରା ପୂଜା । ଶନିବାର ପୀଠରେ ମା'ଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି ।
ଆସନ୍ତାକାଲି ମା'ଙ୍କର ବିଶ୍ରାମ ରହିଥିବାବେଳେ ସୋମବାର ଦିନ ଏଠାରେ ଦଶହରା ପାଳନ କରାଯିବ । ଚଳିତ ବର୍ଷ ମଳ ମାସ ଯୋଗୁଁ ମା'ଙ୍କର 46ଦିନ ପାର୍ବଣ ପୂଜା ଅନୁଷ୍ଠିତ ହେଉଥିଲା । ଆଜି ତାହାର ପରିସମାପ୍ତି ହେବ। ଦୀର୍ଘ 46 ଦିନ ଧରି ଚାଲୁଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବ । ଅର୍ଦ୍ଧରାତ୍ରରେ ମା'ଙ୍କ ଚଳନ୍ତି ପ୍ରତିମା ବିମାନରେ ଲଣ୍ଡା ଦେଉଳକୁ ଆସି ପରିକ୍ରମା କରିବାର ବିଧି ରହିଛି । ଏହି ନୀତି ଆଜି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ଗତ ଶୁକ୍ରବାର ମା' ଶାରଳାଙ୍କ ମହାଷ୍ଟମୀ ପୂଜା ବଳିଦାନ ଆଦି ଅନୁଷ୍ଠିତ ହେବା ସହ ମହାକାଳୀ ରୂପରେ ମା'ଙ୍କୁ ବେଶ କରାଯାଇଥିଲା । ଆଜି ସନ୍ଧ୍ୟାରେ ମହାସରସ୍ବତୀ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି । ତେବେ କୋରୋନା କଟକଣା ସହିତ ମନ୍ଦିରରେ ମା' ଶାରଳାଙ୍କ ପୂଜା ରୀତିନୀତି ଅନୁଯାୟୀ ଜାରି ରହିଛି । ପୂର୍ବରୁ ଦଶହରା ସମୟରେ ମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିବାବେଳେ ବର୍ତ୍ତମାନ କୋରୋନା ସମୟରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା କମ ରହିଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ