ଜଗତସିଂହପୁର: ଚାରିଆଡେ କରୋନାକୁ ନେଇ ଭୟ ଓ ଆତଙ୍କ । ଏଥିରୁ ବାଦ ପଡିନି ବନ୍ଦର ନଗରୀ ପାରାଦୀପ।ଏହାକୁ ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାରାଦୀପ ସମୁଦ୍ରରେ ଅଟକି ରହିଥିବା 12 ଟି ଜାହାଜକୁ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ ।
ଏହି ଜାହାଜ ଗୁଡିକ ଚୀନ, ଥାଇଲାଣ୍ଡ, ହଂକଂ, ମଙ୍ଗୋଲିଆରୁ ଆସିଥିବା ଜଣାପଡ଼ିଛି । କୋରୋନାର ବିଶେଷ ପ୍ରଭାବ ନଥିବା ଦେଶରୁ ଆସୁଥିବା ଜାହାଜର ନାବିକ ମାନଙ୍କୁ ସ୍ଥଳଭାଗ ଛୁଇଁବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
କୋରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ମଧ୍ୟରେ ବାରମ୍ବାର ସମୀକ୍ଷା ବୈଠକ ବସୁଛି ।
ବନ୍ଦରର ଆଠ ନମ୍ବର ଗେଟରେ ବଡି ସ୍କାନର ଲଗାଯିବା ସହ ଥଣ୍ଡା କାଶ ସହ ଜ୍ଵର ଓ ଅସୁସ୍ଥ ଅନୁଭବ କରୁଥିବା ସନ୍ଦିଗ୍ଧଙ୍କୁ ତୁରନ୍ତ ପୋର୍ଟ ମେଡିକାଲ କିମ୍ବା କଟକ ଏସସିବିକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ