ଢିଙ୍କିଆ(ଜଗତସିଂହପୁର): ଏରସମାରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଲାଗିରହିଥିବା ଉତ୍ତେଜନା ଥମିବାର ନାଁ ଧରୁନି l କିଛି ଦିନ ଧରି ପ୍ରଶାସନ ତରଫରୁ ଢ଼ିଙ୍କିଆ ଗ୍ରାମର ଚତୁର୍ପାଶ୍ବରେ ପୋଲିସ ମୁତୟନ ହୋଇଛନ୍ତି । ଫଳରେ ବନ୍ଦୀଜୀବନ ବିତାଉଥିବା ଅଭିଯୋଗ କରିବା ସହ ପାନବରଜ ଭଙ୍ଗାଯାଉଥିବା କହିଛନ୍ତି ଗ୍ରାମବାସୀ । ଏ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ମାନବାଧିକାର କମିଶନର ଦ୍ବାରସ୍ଥ ହୋଇ ଢ଼ିଙ୍କିଆ ଚାରିଦେଶରୁ ପୋଲିସ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି l
ଏହାମଧ୍ୟ ପଢନ୍ତୁ: ଅଶାନ୍ତ ଢିଙ୍କିଆ, ବାହାରି ପାରୁନି ସମାଧାନର ବାଟ
ଆଜି(ଗୁରୁବାର) ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ୧୪ଜଣିଆ ପ୍ରତିନିଧି ମଣ୍ଡଳୀ ଢ଼ିଙ୍କିଆ ଗ୍ରାମରେ ପହଞ୍ଚି ପଦଯାତ୍ରା କରିବା ପରେ ହଜାର ହଜାର ମହିଳା ପୁରୁଷଙ୍କ ସହିତ ଗ୍ରାମର ଛୋଟ ପିଲାମାନେ ମିଳିତ ଭାବରେ ଏକ ବିଶାଳ ଶୋଭାଯାତ୍ରା କରି ଢ଼ିଙ୍କିଆ ଗ୍ରାମରୁ ମାହାଳ ଦେଇ ଭୋସକାଲିସ ପଏଣ୍ଟ ଠାରେ ଥିବା ଜିନ୍ଦଲ କମ୍ପାନୀର ଅସ୍ଥାୟୀ ଶିବିର ନିକଟକୁ ଯିବାକୁ ଚେଷ୍ଟା କରିଥିଲେ । ପରେ ପୋଲିସ ପ୍ରଶାସନ ସଜାଗ ହୋଇଥିଲା ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା l
ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ମାନେ ଏରସମା ତହସିଲଦାର ଚୌଧୁରୀ ବିକାଶ ଦାସଙ୍କୁ ଭେଟିବା ସହିତ ଗ୍ରାମବାସୀମାନଙ୍କ ପ୍ରତି ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଥିସହ ଶାନ୍ତିପୂର୍ଣ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ