ଜଗତସିଂହପୁର: ଜିଲ୍ଲାର ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ଜମିକୁ ଜବର ଦଖଲ କରିଥିବା ଲୋକଙ୍କୁ ନୋଟିସ ଦିଆଯିବ । ଏହାସହ ତୁରନ୍ତ ଜମିକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମା’ ଶାରଳାଙ୍କ ନାମରେ ବିଭିନ୍ନ ସ୍ଥାନରେ ପ୍ରାୟ 7 ଶହ 50 ଏକରରୁ ଅଧିକ ମୂଲ୍ୟବାନ ଜମି ରହିଛି । କେତେକ ଖଳ ପ୍ରକୃତିର ଲୋକେ ଏହାକୁ ଜବର ଦଖଲ କରିବା ସହ ଚଞ୍ଚକତା କରି ପ୍ରାୟ ଜମିକୁ ନିଜ ନାମରେ କରାଇ ନେଇଥିବା ଜଣାପଡ଼ିଛି । ମନ୍ଦିର ପ୍ରଶାସନ ସେମାନଙ୍କୁ ନୋଟିସ କରୁଥିଲେ ମଧ୍ୟ ସେମାନେ ଜବର ଦଖଲ ହଟାଉ ନାହାନ୍ତି । ଏପରିକି ସେମାନେ ଏହି ଜମିରେ ଚାଷ କରି ମନ୍ଦିରକୁ କୌଣସି ଅର୍ଥ ଦେଉନଥିବା ଅଭିଯୋଗ ହୋଇଛି ।
ଜିଲ୍ଲା ପ୍ରଶାସନ ଏସମ୍ପର୍କରେ ଜାଣିବା ପରେ ଜିଲ୍ଲାର ସମସ୍ତ 8ଟି ତହସିଲର ତହସିଲଦାରମାନଙ୍କୁ ଜମି ଚିହ୍ନଟ କରି ଜବର ଦଖଲକାରୀଙ୍କୁ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି । ଜିଲ୍ଲା ବାହାର ଜମିଗୁଡିକର ରେକର୍ଡ ଯାଞ୍ଚ ଆରମ୍ଭ ହୋଇଛି । କେଉଁ ଜିଲ୍ଲାରେ କେତେ ଭୂସମ୍ପତ୍ତି ରହିଛି ତାହା ଜଣା ପଡିବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ