ଜଗତସିଂହପୁର: ବାତ୍ୟା ଆସିଲେ ଏରସମା ବାସୀଙ୍କ ଛାତିରେ ଛନକା ପଶେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଓ ଏରସମା ବ୍ଲକ ଅନ୍ତର୍ଗତ ସମୁଦ୍ର ତଟବର୍ତ୍ତି ଗାଁ, ବନ୍ଦର, ଧନୁ ହରବେଲାରୀ, ମାରିଚି ପୁର, ବାଲିଜୋରି, ନେନ୍ଦେରା, ତେନ୍ତୁଳି ବେଲାରୀ ପ୍ରଭୁତି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ କେଉଁଠାରେ ସ୍ଥଳଭାଗ ଛୂଇଁବ ତାହା ସ୍ପଷ୍ଟ ହୋଇନଥିବା ବେଳେ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଫଳରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଚ୍ଚାଘରେ ବସବାସ କରିଥିବା ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଳିଆ ଅଞ୍ଚଳ ଲୋକଙ୍କୁ ଆସନ୍ତାକାଲି(ଶୁକ୍ରବାର) ସୁଦ୍ଧା ନିରାପଦ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଗୃହ ପାଳିତ ପଶୁ, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ପ୍ରଭାବରେ ସମୁଦ୍ରରୁ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ଏହିସବୁ ଗ୍ରାମରେ ଲୁଣିପାଣି ପଶିଯିବାର ସମ୍ଭାବନା ରହିଛି । ତେଣୁ, ତୁରନ୍ତ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲିଯିବାକୁ ପ୍ରଶାସନ ସ୍ତାନୀୟ ଲୋକଙ୍କୁ ନିବେଦନ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ