ଜଗତସିଂହପୁର: ଜିଲ୍ଲାକୁ ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ବାରଣ କଲା ଜିଲ୍ଲା ପ୍ରଶାସନ । ଶନିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏ ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି । ତେବେ ଜିଲ୍ଲାକୁ ହଟସ୍ପଟ ଜୋନରୁ ଆସିଲେ 14 ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ ବୋଲି ସେ ସୂଚନା ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲାର ପଡୋଶୀ ଜିଲ୍ଲା ଭାବେ କଟକ, ପୁରୀ, କେନ୍ଦ୍ରପଡା, ଜିଲ୍ଲାରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ଲାଗିଛି । ଦିନକୁ ଦିନ ଏହା ବିପଦଜନକ ପରିସ୍ଥିତି ଆଡକୁ ଗତି କରିବାର ଆଶଙ୍କା ରହିଛି । ଏପରିକି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେବେ ଏହାକୁ ନେଇ ହଟସ୍ପଟ୍ ଜିଲ୍ଲାରୁ ଜଗତସିଂହପୁର ଜିଲାକୁ ଆସୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଜିଲ୍ଲାପାଳ ଲୋକଙ୍କୁ ସରକାରଙ୍କ କୋରୋନା କଟକଣା ମାନିବା ସହ ପ୍ରତିଷେଧାତ୍ମକ ତଥା ସାମାଜିକ ଦୂରତା ଓ ମାସ୍କ ସାନିଟାଇଜର ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଯେଉଁମାନେ କୌଣସି କାମରେ କଟକ କିମ୍ବା ଭୂବନେଶ୍ବର ଯିବାକୁ ଚାହିଁବେ ସେ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଯାଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନା ଥାଉକି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାରା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12000ରୁ ଊର୍ଦ୍ଧ୍ବ ରହିଥିବାବେଳେ 61 ଜଣ ମୃତ୍ୟୁବରଣି କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 389 ରହିଥିବାବେଳେ 298 ଜଣ ସୁସ୍ଥ ହୋଇଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ 91 ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ