ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଜିଲ୍ଲାପାଳ ଘନ ଘନ ବନ୍ୟାଞ୍ଚଳ ଗସ୍ତ କରି ସମୀକ୍ଷା କରୁଛନ୍ତି । ନଦୀଗୁଡିକରେ ଜଳସ୍ତର କମିବା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି ।
ଜିଲ୍ଲାପାଳ ପାରୁଲ ପଟୱାରୀ ଶନିବାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟା ବିପନ୍ନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ଯାଞ୍ଚ କରୁଛନ୍ତି ଜିଲ୍ଲାପାଳ । ଏହାସହିତ ଲୋକଙ୍କ ନିକଟରେ ଯେପରି ଠିକ୍ ଭାବେ ରିଲିଫ୍ ସାମଗ୍ରୀ ପହଞ୍ଚିବ ସେଥିପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି ।
ଜିଲ୍ଲାପାଳ ପାୱାର ବୋଟ ଯୋଗେ ହଂସୁରା ପଞ୍ଚାୟତର ଅନୋଳି ପାଟଣା, ସାପୁର, ଶ୍ରୀଚନ୍ଦନପୁର, ମଦଲପୁର ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଦୁଗ୍ଧ ଉତ୍ପାଦନରେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ହୋଇଥିବାରୁ ଗୋସମ୍ପଦ ଉପରେ ମଧ୍ୟ ଗୁରୁତ୍ବ ଦେଇଛି ପ୍ରଶାସନ । ଗୋଖାଦ୍ୟ ସାମଗ୍ରୀକୁ ପହଞ୍ଚାଇବା ଓ ପଶୁ ଚିକିତ୍ସା ପାଇଁ ଔଷଧ ସାମଗ୍ରୀ ଯୋଗାଇ ଦିଆଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର