ଜଗତସିଂହପୁର: ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳରୁ 30 ହଜାର ମେଟ୍ରିକ ଟନ ମଧୁର ବାଲି ଜବତ । କୁଜଙ୍ଗ ତହସିଲଦାର ପକ୍ଷରୁ ବାଲି ଜବତ କରାଯାଇଛି । କିଭଳି ଏତେ ପରିମାଣରେ ମଧୁର ବାଲି ବନ୍ଦର ନିଷେଧାଞ୍ଚଳ ଦେଇ ପୋର୍ଟ ଭିତରକୁ ଆସିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ପାରାଦ୍ୱୀପ ପୋର୍ଟରୁ ଏକ ଜାହାଜ ମାଧ୍ୟମରେ ଏହି ବାଲିକୁ ପୋର୍ଟ ବ୍ଲେୟାରକୁ ରପ୍ତାନୀ ହେବାର ଥିଲା । କିନ୍ତୁ ଘଟଣା ପଦାକୁ ଆସିବା ପରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ କୁଜଙ୍ଗ ତହସିଲଦାରଙ୍କୁ ଏ ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୁଜଙ୍ଗ ତହସିଲଦାର ବିଭାଗୀୟ ଅଧିକାରୀଙ୍କ ସହ ପୋର୍ଟ ନିଷେଧାଞ୍ଚଳକୁ ତଦନ୍ତ କରିବା ସହ 30 ହଜାର ମେଟ୍ରିକ ଟନ ବାଲିକୁ ଜବତ କରିଛନ୍ତି । ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ମଧୁର ବାଲିକୁ ରପ୍ତାନୀ କରାଯାଇ ପାରିବ ନାହିଁ ବୋଲି ପୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପ ପୋର୍ଟରେ 30 ହଜାର ମେଟ୍ରିକ ଟନ ମଧୁର ବାଲି ପୋର୍ଟରେ ମହଜୁଦ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: ଦେଶର ସବୁ ବନ୍ଦରକୁ ପଛରେ ପକାଇ ପାରାଦ୍ବୀପ ବନ୍ଦର ହାତେଇଲା ସାଗର ଶ୍ରେଷ୍ଠ ସମ୍ମାନ
ଶୁଣିବାକୁ ମିଳୁଛି ଯେ, ପୋର୍ଟ ବ୍ଲେୟାରରୁ ଏକ ଜାହାଜ ପାରାଦ୍ୱୀପ ପୋର୍ଟକୁ ଆସି ଏହି ମଧୁର ବାଲିକୁ ନେବାର ଥିଲା । ଘଟଣା ଜଣାପଡିବା ପରେ ଜାହାଜକୁ ଫେରିବାକୁ ପଡିଛି । କିଛି ବାଲି ମାଫିଆ ବିନା ୱାଇଫର୍ମରେ ବାଲି ନେଇ ବନ୍ଦର ନିଷେଧାଞ୍ଚଳକୁ ପ୍ରବେଶ କରି ବାଲି ବାହାରକୁ ରପ୍ତାନୀ କରିବାର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି । 30 ହଜାର ମେଟ୍ରିକ ଟନ ମଧୁର ବାଲିର ୱାଇଫର୍ମ କାଗଜ ପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତ ମାଧ୍ୟମରେ କୁହାଯାଇଛି ଯେ, ପାରାଦ୍ୱୀପ ବନ୍ଦର କୌଣସି ପ୍ରକାର ନିୟମ ବିରୋଧ କାର୍ଯ୍ୟ କରିନାହିଁ । ବନ୍ଦରର ନିଷେଧାଞ୍ଚଳରେ ଯେଉଁ ମଧୁର ବାଲି ମହଜୁଦ ରହିଛି । ସେଗୁଡିକ ବିନା ୱାଇଫର୍ମରେ ବନ୍ଦର ମଧ୍ୟକୁ ପ୍ରବେଶ କରାଇ ଦିଆଯାଇ ନଥାଏ । ତେବେ ଏହାକୁ ନେଇ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ସତ୍ୟ ଉପରେ ଆଧାରିତ ନୁହେଁ । ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର